ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା ଘଟଣା : ପ୍ରତିବାଦରେ ରାଜସ୍ଥାନ ବନ୍ଦ, ଚକା ଜାମ

ଜୟପୁର : ରାଜପୁତ ନେତା ତଥା ରାଷ୍ଟ୍ରୀୟ ରାଜପୁତ କରନି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା ପ୍ରତିବାଦରେ ରାଜସ୍ଥାନ ବନ୍ଦ । ଗତ ଡିସେମ୍ବର ୫ ତାରିଖରେ ନିଜ ଘରେ ଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ । ହତ୍ୟାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ହତ୍ୟା ଘଟଣାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଓ ଲରେନ୍ସ ବିଷ୍ଣୋଇର ଜଣେ ସହଯୋଗୀ ରୋହିତ ଗୋଦାରା ସମ୍ପୃକ୍ତ ଥିବା ସୂଚନା ମିଳିଛି । ହତ୍ୟାଲାଗି ସେ ଦାୟୀ ବୋଲି ଫେସବୁକ୍ ପୋଷ୍ଟ ଜରିଆରେ ସ୍ବୀକାର କରିଛି ରୋହିତ ।

ଗୁଳିକାଣ୍ଡରେ ଗୋଗାମେଡି ପ୍ରାଣ ହରାଇଥିବାବେଳେ ତାଙ୍କର କେତେକ ସହକର୍ମୀ ଆହତ ହୋଇଥିଲେ । ତେବେ ଗୋଗାମେଡିଙ୍କ କର୍ମୀଙ୍କ ଗୁଳିମାଡରେ ଜଣେ ଦୁର୍ବୃତ୍ତ ପ୍ରାଣ ହରାଇଥିଲା । ରାଜସ୍ଥାନରେ ସରକାର ପରିବର୍ତ୍ତନ ହେବା ମାତ୍ରେ ଏହି ଘଟଣା ରାଜସ୍ଥାନ ରାଜନୀତିକୁ ସରଗରମ କରିଛି । ଗୁଳିକାଣ୍ଡ ହେବା ମାତ୍ରେ କରନି ସେନା ସମର୍ଥକମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଲୋକେନ୍ଦ୍ର ସିଂ କାଲଭି ନେତୃତ୍ବାଧୀନ ରାଜପୁତ କରନି ସେନାରୁ ଅଲଗା ହୋଇ ଗତ ୨୦୧୫ରେ ଗୋଗାମେଡି ଗଠନ କରିଥିଲେ ରାଷ୍ଟ୍ରୀୟ ରାଜପୁତ କରନି ସେନା ।

ରୋହିତ ଗୋଦାରା ହେଉଛି ରାଜସ୍ଥାନର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତାକୁ ଧରିବା ଲାଗି ଏନଆଇଏ ପକ୍ଷରୁ ଚଢାଉ ଜାରି ରହିଛି । ସେ ବିକାନିରର ଏବଂ ତା ନାମରେ ୧୨ରୁ ଅଧିକ ସଂଗୀନ ମାମଲା ରହିଛି । ରାଜସ୍ଥାନର ବହୁ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିବା ଅଭିଯୋଗ ତା ନାଁରେ ରହିଛି । ୨୦୨୨ରେ ଗ୍ୟାଙ୍ଗଷ୍ଟର ରାଜୁ ତେଥ ହତ୍ୟା ଘଟଣାରେ ବି ରୋହିତ ସମ୍ପୃକ୍ତ ଥିଲା । ସେହିପରି ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣାରେ ବି ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଫେକ୍ ପାସପୋର୍ଟ ଜରିଆରେ ସେ ଗତ ୨୦୨୨ଜୁନରେ ଦୁବାଇ ଚାଲିଯାଇଥିଲା । ତା ନାମରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିବାବେଳେ ସେ ଏବେ କାନାଡାରେ ଥିବା ଆଶଙ୍କା କରାଯାଉଛି ।