ଓ୍ବାକଫ ବିଲକୁ ନେଇ ଜଳୁଛି ମୁର୍ଶିଦାବାଦ, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ୱାକଫ ଆଇନକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ବ୍ୟାପକ ହିଂସା ।  ବର୍ତ୍ତମାନ ସୁଦ୍ଧା ହିଂସାର ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି ।

ରାଜ୍ୟର ସୁତି, ଧୁଲିଆନ, ସମଶେରଗଞ୍ଜ ଓ ଜାଙ୍ଗିପୁର ଅଞ୍ଚଳରେ ସ୍ଥିତି ଜଟିଳ ହୋଇଛି । ବିଭିନ୍ନ ସ୍ଥାନରେ ଏକାଠି ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ହିଂସାକୁ ଦମନ କରିବା ଲାଗି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଲୋକଙ୍କ ନିରାପତ୍ତା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି । ଶାନ୍ତି ରକ୍ଷା ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ତେବେ ବିଜେପି ପକ୍ଷରୁ ହିନ୍ଦୁତ୍ବ କାର୍ଡ ଖେଳାଯାଉଥିବାରୁ ସ୍ଥିତି ଅଧିକ ସଂଗୀନ ହେବା ଆଶଙ୍କା କରାଯାଉଛି । ଗତ ଏପ୍ରିଲ ୮ତାରିଖରୁ ମୁର୍ଶିଦାବାଦରେ ଆନ୍ଦୋଳନ ଚାଲିଛି । ବିଶୃଙ୍ଖଳାକୁ ଦମନ ଲାଗି ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ରାଜୀବ କୁମାର । ହିଂସାରେ ଜଡିତ ଲୋକଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ । କେବଳ ମୁର୍ଶିଦାବାଦରେ ୩୦୦ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି ।