କେଜ୍ରିଓ୍ବାଲ ଗିରଫ ପ୍ରତିବାଦରେ ଭୁବନେଶ୍ବରରେ ବିରୋଧ

1 min read

ଭୁବନେଶ୍ବର: ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ସାରା ଦେଶରେ ଦେଖା ଦେଇଛି ପ୍ରତିବାଦର ସ୍ବର । ଆମ ଆଦମୀ ପାର୍ଟି ସାରା ଦେଶରେ ଆନ୍ଦୋଳନ କରୁଛି । ଗିରଫଦାରୀକୁ ଅଗଣତାନ୍ତ୍ରିକ କହି ଆମ ଆଦମୀ ପାର୍ଟି ତରଫରୁ ପଞ୍ଜାବରୁ କେରଳ ପ୍ରତିବାଦ କରାଯାଉଛି । ଓଡି଼ଶାରେ ମଧ୍ଯ ଗିରଫଦାରୀର ତୀବ୍ର ପ୍ରତିବାଦ କରାଯାଇଛି । ଭୁବନେଶ୍ବରରେ ଆପ ନେତା ଓ କର୍ମୀ ଜୋରଦାର ଆନ୍ଦୋଳନ କରିବା ସହ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ଯର ନିନ୍ଦା କରିଛନ୍ତି ।

ନିର୍ବାଚନୀ ବଣ୍ଡ ଏବେ କେନ୍ଦ୍ର ସରକାରଙ୍କ ମୁଖା ଖୋଲି ଦେଇଥିବାବେଳେ ଏଥିରୁ ନଜର ହଟାଇବାକୁ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଆପ ବିରୋଧକୁ ସମର୍ଥନ କରି ଇଣ୍ଡିଆ ମେଣ୍ଟର ସଦସ୍ଯ ଓ ବାମଦଳ ମଧ୍ଯ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଓଡ଼ିଶା ସିପିଆଇ-ଏମଏଲ ନିନ୍ଦା କରିଛି । ଏହା ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ଉପରେ ସାଂଘାତିକ ଆକ୍ରମଣ ବୋଲି ଦଳ କହିଛି ।

ଦେଶରେ ନିର୍ବାଚନ ଘୋଷଣା ସରିଥିବାବେଳେ ଏଭଳି ଗିରଫଦାରୀ ବିରୋଧୀଙ୍କ କଣ୍ଠରୋଧ ଛଡା କିଛି ନୁହେଁ । ଆଗରୁ ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ, ସାଂସଦ ସଂଜୟ ସିଂ, ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ, ମୁଖ୍ଯ ବିରୋଧୀ ଦଳ କଂଗ୍ରେସର ବ୍ଯାଙ୍କ ଆକାଉଣ୍ଟ ଫ୍ରିଜ କରିବା ଘଟଣା ପ୍ରମାଣ କରିଦେଉଛି କେନ୍ଦ୍ର ସରକାର କ୍ଷମତା ପାଇଁ କେତେ ତଳକୁ ଖସିଯାଇପାରନ୍ତି । ମନୀଷ ସିସୋଦିଆ, ସଂଜୟ ସିଂ ଗିରଫ ହୋଇଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇନାହିଁ । ସେମାନଙ୍କ ଟ୍ରାଏଲ ଚାଲିନି କି ବେଲ ମିଳିନି । ତା’ହେଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରି ବିନା ବିଚାରରେ ଜେଲରେ ରଖିବା ହେଉଛି କେନ୍ଦ୍ର ଅସଲ ଉଦ୍ଦେଶ୍ଯ ବୋଲି କହିଛି ସିପିଆଇ-ଏମଏଲ । ତେଣୁ ଗିରଫ ନେତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରି ଆନ୍ଦୋଳନ କରିଛି ଦଳ ।