ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନାରେ ଧସେଇ ପଶିଲେ ଉତ୍ତ୍ୟକ୍ତ ଲୋକେ
ଭଦ୍ରକ: ଏକ ହତ୍ୟା ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହିରେ ଉତ୍ତେଜନା । ନ୍ୟାୟ ଦାବିରେ ଫାଟକ ଭାଙ୍ଗି ନାୟକାଣିଡିହି ଥାନାରେ ଧସେଇ ପଶିଲେ ଉତ୍ତ୍ୟକ୍ତ ଲୋକେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରଞ୍ଜଆଡିଆ ଗାଁର ନବଘନ ମଲ୍ଲିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅଡ଼ି ବସିଛନ୍ତି ଗ୍ରାମବାସୀ ।
ଅଭିଯୋଗ ଅନୁସାରେ, କରଞ୍ଜଆଡିଆ ଗାଁର ନବଘନ ମଳିକଙ୍କ ସହ ସେହି ଗ୍ରାମର ଭଗବାନ ମଳିକଙ୍କ ପରିବାର ମଧ୍ଯରେ ଶତ୍ରୁତା ଲାଗି ରହିଥିଲା । ଗତ ୨ ତାରିଖ ଦିନ ନବଘନ ଘଣ୍ଟେଶ୍ଵରରୁ ବାଲିଆପାଳ ଘାଟର ମନ୍ତେଇ ନଦୀ ପାର ହୋଇ ଘରକୁ ଫେରୁଥିବାବେଳେ ଭଗବାନ ମଳିକଙ୍କ ପରିବାର ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ଲୋକେ ପହଞ୍ଚିବାରୁ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ସଂଜ୍ଞାହୀନ ଅବସ୍ଥାରେ ନବଘନକୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ଡାକ୍ତରଖାନାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ନବଘନଙ୍କ ଶବ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଛି । ନ୍ୟାୟ ଦାବିରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଥାନା ଆଗରେ ଶବ ରଖି ଧାରଣା ଦେଇଛନ୍ତି ଶହ ଶହ ଗ୍ରାମବାସୀ ।
ଥାନାର ଲିଖିତ ଅଭିଯୋଗ ହୋଇ ଥିଲେ ବି ପୋଲିସ କାହାକୁ ଗିରଫ କରିନାହିଁ । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଥାନା ଭିତରେ ଶବ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି । ଅଭିଯୁକ୍ତ ଗିରଫ ନହେବା ପର୍ଯ୍ଯନ୍ତ ଶବ ଉଠିବ ନାହିଁ ବୋଲି ଜିଦ୍ ଧରିଛନ୍ତି ଉତ୍ତ୍ୟକ୍ତ ଲୋକେ ।