PMଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡାଇଲେ ଆନ୍ଦୋଳନକାରୀ

କଲୋମ୍ବୋ: ଜଟିଳ ହେଉଛି ଶ୍ରୀଲଙ୍କା ସଙ୍କଟ । ଉଗ୍ର ଜନତାଙ୍କ କୋପରେ ଥରୁଛି କଲମ୍ବୋ । ଉତ୍ତ୍ୟକ୍ତ ଜନତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶିବା ସହ ରାଷ୍ଟ୍ରୀୟ ଟେଲିଭିଜନ ଚାନେଲ ରୂପବାହିନୀ କାର୍ଯ୍ୟାଳୟରେ ପଶିଛନ୍ତି । ସେଠାରେ ସେମାନେ ଉଡାଇଛନ୍ତି ଜାତୀୟ ପତାକା । ସେପଟେ ଦେଶରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜକୁ କାମଚଳା ରାଷ୍ଟ୍ରପତି ଭାବେ ନିଜକୁ ଘୋଷଣା କରିଛନ୍ତି । ବ୍ୟାପକ ଅସ୍ଥିରତା ମଧ୍ୟରେ ଦେଶରେ ଚାଲିଛି ଜୋରଦାର ଆନ୍ଦୋଳନ । ଜୋର ଧରିଛି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଇସ୍ତଫା ଦାବି ।

ହଜାର ହଜାର ଆନ୍ଦୋଳନକାରୀ ସଂସଦ ଅଭିମୁଖେ ଆଗେଇଚାଲିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଫାଙ୍କା ଗୁଳିଚାଳନା କରିଛି । କଲମ୍ବୋସ୍ଥିତ ଆମେରିକା ଦୂତାବାସ ବି ବନ୍ଦ ହୋଇଛି । ହେଲିକପ୍ଟର ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ଉପରେ ନଜର ରଖାଯାଇଛି । ଗତକାଲି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ବତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ପଳାୟନ କରିଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗୋଟାବାୟାଙ୍କ ଭାଇ ବାସିଲ ମଧ୍ୟ ବିଦେଶ ଚାଲିଯାଇଥିବା ନେଇ ସୂଚନା ଦିଆଯାଇଛି । ତେଣେ ଗୋଟାବାୟାଙ୍କ ପଳାୟନ ପଛରେ ହାତ ଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ଦ୍ବୀପରାଷ୍ଟ୍ରରେ ଅର୍ଥନୈତିକ ସଙ୍କଟ ନେଇ ରାଜପକ୍ଷ ପରିବାର ବିରୋଧରେ ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଛି । ପରିବାରକୁ ସୁରକ୍ଷିତ ଭାବେ ଦେଶ ବାହାରକୁ ଯିବାକୁ ଦିଆ ନଗଲେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଗୋଟାବାୟା ।