Sri Lanka Crisis: ରାଷ୍ଟ୍ରପତି ଇସ୍ତଫା ନଦେଲା ଯାଏଁ ବାସଭବନ ଛାଡିବୁନାହିଁ ବୋଲି କହିଲେ ବିକ୍ଷୋଭକାରୀ

1 min read

କଲୋମ୍ବୋ: ଶ୍ରୀଲଙ୍କାରେ ଟଳୁନି ସଙ୍କଟ। ରାଷ୍ଟ୍ରପତିଙ୍କ ଇସ୍ତଫା ଘୋଷଣା ପରେ ବି ଥମୁନି ଜନ ଆକ୍ରୋଶ । ନେତାଙ୍କ ଉପରୁ ଭରସା ତୁଟାଇଛନ୍ତି ଶ୍ରୀଲଙ୍କାବାସୀ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ନଦେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।  ରାଷ୍ଟ୍ରପତି ଭବନକୁ ଆନ୍ଦୋଳନକାରୀ କବଜା କରିଥିବା ବେଳେ ଏହାକୁ ଖାଲି କରିବାକୁ ମନା କରିଦେଇଛନ୍ତି ।

ସାରାଦେଶରେ ଅରାଜକତା ଜାରି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଓ ସେନା କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେପଟେ ଶ୍ରୀଲଙ୍କା ସଙ୍କଟ ସୁଧୁରିବାର ଆଶା ଦେଖାଯାଉନି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସିଂହଳ ରାଷ୍ଟ୍ରରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ମେଡିସିନ, ପେଟ୍ରୋଲ, ଡିଜେଲ ଆଦିର ଘୋର ଅଭାବ ଜନ ଅସନ୍ତୋଷକୁ ଉଗ୍ର ରୂପ ଦେଇଛି ।

ନିକଟରେ ହଜାର ହଜାର ସଂଖ୍ୟାରେ ଜନତା  ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଥିଲେ। ଦେଖୁ ଦେଖୁ ପୂରା ବାସଭବନକୁ କବଜା କରିନେଇଥିଲେ ବିକ୍ଷୋଭକାରୀ। ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସୁଇମିଂ ପୁଲରେ ଲୋକମାନେ ଗାଧୋଉଥିବାର ନଜର ଆସିଥିଲେ। ତ ଆଉ କେହି କେହି ରୋଷେଇ ଘରେ ପଶି ଖାଉଥିବା ବେଳେ ଆଉ କେହି ବେଡରୁମରେ ପଶି ନାଚୁଥିଲେ।

ତେବେ ରାଜପକ୍ଷ ପରିବାର ଉପରେ ଥିବା ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। ଏକ ସର୍ବଦଳୀୟ ସରକାର ଗଠନ ନହେବା ପର୍ଯ୍ୟନ୍ତ ଏ ସ୍ଥିତି ସୁଧୁରିବାର ସମ୍ଭାବନା ଦେଖାଯାଉନି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।