ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ରୋମରେ ଶୋଭାଯାତ୍ରା

କିଭ୍: ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ରୋମରେ ବଡ଼ ଧରଣର ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଜନତା । ଯୁଦ୍ଧର ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାବେଳେ ଶାନ୍ତି ଫେରାଇଆଣିବା ଲାଗି ଇଟାଲି ଜେନେରାଲ ଶ୍ରମ ସଂଘ ବା ସିଜିଆଇଏଲ ପକ୍ଷରୁ ହଜାର ହଜାର ଶ୍ରମିକ ବିକ୍ଷୋଭ କରିଛନ୍ତି । ଶାନ୍ତି ଲେଖାଥିବା ବ୍ୟାନର ଓ ପ୍ଲାକାର୍ଡ ଧରି ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମଗ୍ର ୟୁରୋପରେ ଯୁଦ୍ଧର ପ୍ରଭାବ ପଡୁଥିବାରୁ ଏବଂ କୋଟି କୋଟି ଲୋକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଯୁଦ୍ଧର ଅବସାନ ଲାଗି ସେମାନେ ଦାବି କରିଛନ୍ତି । ୟୁକ୍ରେନରେ ଯୁଦ୍ଧ ଜାରି ରଖିବା ଲାଗି ୟୁକ୍ରେନକୁ ଇଟାଲି ଯୁଦ୍ଧାସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଉଥିବାରୁ ଏହାକୁ ଶ୍ରମିକମାନେ ବିରୋଧ କରିଛନ୍ତି ।