ବିଜେଡି ନେତାଙ୍କ ନାଁରେ ମିଛ ମାମଲା ପ୍ରସଙ୍ଗ, ହୁଲୁସ୍ତୁଲ ହେଲା ବିଧାନସଭା

ଭୁବନେଶ୍ବର: ସେଭ୍ ରେଭେନ୍ସା ନାଁରେ ମଶାଲ ରାଲି ବେଳେ ବିଜେଡି ନେତା  ବ୍ୟୋମକେଶ ରାୟ, ଲେନିନ ମହାନ୍ତି ଏବଂ ଏକ୍ରାମ ଖାନଙ୍କ ନାଁରେ ମାଲଗୋଦାମ ଥାନାରେ ମିଛ ଏତଲା ପ୍ରସଙ୍ଗ । ବିଧାନସଭାରେ ବିଜେଡି ବିଧାୟକଙ୍କ ପ୍ରତିବାଦ । ମାମଲା ପ୍ରତ୍ୟାହାର ଦାବିରେ ଗୃହ ହୁଲୁସ୍ତୁଲ ।

ଶୂନ୍ୟକାଳରେ ବ୍ୟୋମକେଶଙ୍କୁ ସମର୍ଥନ କରିଛନ୍ତି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି, ଭିନ୍ନ ମତକୁ ଚାପିବାକୁ ଅପଚେଷ୍ଟା କରାଯାଇଛି । ପ୍ରତିହିଂସା ପରାୟଣ ରାଜନୀତି ରାଜ୍ୟରେ ମୁଣ୍ଡ ଟେକିଲାଣି । ବିଧାୟକଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି । ଯିଏ ମିଥ୍ୟା ମକଦ୍ଦମା କରିଛି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଘଟଣାର ନିରପେକ୍ଷ ତଦନ୍ତ ଦେଉ । ଏଭଳି ଅଭିସନ୍ଧି ପଛର ରହସ୍ୟକୁ ଉନ୍ମୋଚିତ କରାଯାଉ ।

ଆଗକୁ ସେ କହିଛନ୍ତି, ମାମଲା ରୁଜୁ ବେଳେ ଆର୍ମ ଆକ୍ଟ ଲଗାଯାଇଛି । ମାରଣାସ୍ତ୍ର ଧରିଥିଲେ ତ ଏହା ଲାଗିଥାନ୍ତା । ମାଲଗୋଦାମ ଆଇଆଇସି ଉପସ୍ଥିତ ଥିଲେ । କୌଣସି ମାରଣାସ୍ତ୍ର ମିଳିନି । ଶାସକ ଦଳର ପ୍ରରୋଚନାରେ ଏହା ହୋଇଛି ।

ମିଛ ମାମଲାକୁ ନେଇ ବିଜେଡି ବିଧାୟକମାନେ ଏହାର ପ୍ରତିବାଦ କରିଥିଲେ । ମାମଲା ପ୍ରତ୍ଯାହାର ଦାବି କରି ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିବାରୁ ବାଚସ୍ପତି ଗୃହକୁ ୧୨ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।