ପାଚକ ପାଚିକା ମହାସଙ୍ଘର ମହା ସମାବେଶ: ଡବଲ ଇଞ୍ଜିନ ସରକାରଙ୍କ ଦୋମୁହାଁ ନୀତି ବିରୋଧରେ ଗର୍ଜନ

1 min read

ଭୁବନେଶ୍ବର: ୭ ଦଫା ଦାବି ନେଇ ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ସମାବେଶ । ଦରଦାମ ବଢୁଛି ହେଲେ ବଢୁନି ପାରିଶ୍ରମିକ । ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ମାଆ । ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩ ହଜାର ୫୬୦ ଟଙ୍କା ଓ ପରିଚୟପତ୍ର ଦେବା ନେଇ ଦାବି ହୋଇଛି । ମଧ୍ୟାହ୍ନ ଭୋଜନ ଭଳି ଶିକ୍ଷା ବିକାଶର ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ପାରିଶ୍ରମିକ ଦୈନିକ ଏକ ଶହ ଟଙ୍କା ପଡୁଛି । ତେଣୁ ସରକାର ଘୋଷଣା କରିଥୁବା ପାରିଶ୍ରମିକ ପୁନଃ ବିଚାର କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ ।

ମହାତ୍ମାଗାନ୍ଧୀ ମାର୍ଗରେ ପାଚକପାଚିକା ସଂଘର ମହାସମାବେଶ । ମଧ୍ୟାହ୍ନ ଭୋଜନ ହାଣ୍ଡିଶାଳରେ ପଡିଲା ତାଲା । ରାଜ୍ୟ ସରକାରଙ୍କ ନୀତି ଲାଗି ଭୋକରେ ରହିଲେ ପିଲା । ଡବଲ ଇଞ୍ଜିନ ସରକାରଙ୍କ ଦୋମୁହାଁ ନୀତିଙ୍କୁ ନେଇ ଗର୍ଜିଲେ ମାଆ । ଦୀର୍ଘ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ ସେବା କରିଆସୁଥିଲେ ସୁଦ୍ଧା ମିଳୁନି ନ୍ୟାୟ । ମାଆମାନଙ୍କୁ ତୁରନ୍ତ ନିଯୁକ୍ତିପତ୍ର ସହିତ ପରିଚୟ ପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩ ହଜାର ୫ଶହ ଟଙ୍କା  ଦରମା ପ୍ରଦାନ, ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି ନିକଟରୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ମୁକ୍ତ କରି ଶିକ୍ଷା ବିଭାଗ ନିଯୁକ୍ତି ଓ ପ୍ରତ୍ୟାହାର ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଦାବି କରାଯାଇଛି । ଏହାସହ ପୂର୍ବ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ, ଅବସର ପରେ ପରିବାରର ଜଣକୁ ନିଯୁକ୍ତି,  ଅବସରକାଳୀନ ଭତ୍ତା, ଦରମାକୁ ପରିବର୍ତ୍ତନ କରାଯାଇ ୧୨ ମାସର ଦେବାକୁ ଦାବି ହୋଇଛି ।

ମାଆମାନଙ୍କ ସ୍ବାର୍ଥ ଓ ଜୀବିକା ଲାଗି ବିଜୁ ଶ୍ରମିକ ସାମୁଖ୍ୟ ସମର୍ଥନ ଦେଇଛି । ମହାସଂଘ ସମାବେଶରେ ସାମିଲ ହୋଇଥିଲେ ବିଜୁ ଶ୍ରମିକ ସାମୁଖ୍ୟର ନେତା ପ୍ରଫୁଲ୍ଲ ସାମଲ । ପୂର୍ବ ସରକାର ସମୟରେ ପାଚକ ପାଚିକାମାନଙ୍କୁ ସ୍ବତନ୍ତ୍ର ପରିଚୟ ମିଳିଥିଲା । କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ୬୦-୪୦ ପ୍ରତିଶତରେ ଦରମା ମିଳିବା କଥା । ପୂର୍ବରୁ ରାଜ୍ୟ ସରକାର ଦରମା ଦେଉଥିଲେ । କିନ୍ତୁ କେନ୍ଦ୍ର ସରକାର ଏମାନଙ୍କ ବକେୟା ଦରମା ଦେଇ ନାହାନ୍ତି । ଦୀର୍ଘ ୩୦ ବର୍ଷ ହେଲା ପାଚକ ପାଚିକାମାନେ କାମ କରୁଥିବା ବେଳେ ଡବଲ ଇଞ୍ଜିନ ସରକାର ବାହାର କରି ନୂଆ ଲୋକଙ୍କୁ ନିଯୁକ୍ତି ଦେବାକୁ ଷଡଯନ୍ତ୍ର କରୁଥିବା ମହାସଂଘର ସଭାପତି ଅଭିଯୋଗ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଖରା ଓ କାକରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ ।