ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ, ରାସ୍ତାରେ ଟାୟାର ଜାଳିଲେ ଡାକ୍ତରଖାନା ଭାଙ୍ଗିଲେ
ଭୁବନେଶ୍ୱର: ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ । ଡାକ୍ତରଖାନାରେ ପସିଲେ ଭଙ୍ଗା ରୁଜା କଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପାଣିରେ ବୁଡ଼ି ଯାଇଥିବା ଶିଶୁ କନ୍ୟାର ମୃତ୍ୟୁକୁ ନେଇ ହସ୍ପିଟାଲରେ ସମ୍ପର୍କିୟମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଙ୍ଗା ରୁଜା କରିଛନ୍ତି । ତେବେ ନ୍ୟାୟ ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ଭୋଗରାଇ ଥାନା ଛୋଟ ମହେଶ ପୁର ଗାଁର ଅନୀଲ କାମିଳାଙ୍କ ତିନି ବର୍ଷର ଝିଅ ଦିବ୍ୟାଂସି ଆଜି ଅପରାହ୍ନରେ ପାଣିରେ ବୁଡ଼ି ଯାଇଥିଲା । ଘର ଲୋକେ ଉଦ୍ଧାର କରି ଝିଅକୂ ଜଳେଶ୍ଵରପୁର ହସ୍ପିଟାଲକୁ ଆଣି ଥିଲେ । ମାତ୍ର ସନ୍ଧ୍ୟା ବେଳେ କୌଣସି ଡାକ୍ତର ହସ୍ପିଟାଲରେ ନଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ଜଣେ କର୍ମଚାରୀ ଡାକ୍ତର ତାଙ୍କ ସରକାରୀ ବାସଭବନରେ ଅଛନ୍ତି ସେଠାକୁ ନେଲେ ଦେଖିବେ ବୋଲି କହିଥିଲେ । ଘର ଲୋକେ ଡାକ୍ତରଙ୍କୁ ତାଙ୍କ ବାସଭବନରୁ ଡାକି ଆଣିବା ପରେ ଡାକ୍ତର ଶିଶୁଟିର ମୃତ୍ୟୁ ହୋଇ ଯାଇଥିବା କହିଥିଲେ । ଫଳରେ ସେଠାରେ ଉତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।