ବେଆଇନ କଳାପଥର ଖନନକୁ ବିରୋଧ, ଖନନ ମେସିନ ଅଟକ ରଖିଲେ ଲୋକେ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପାହାଡ଼ରୁ ବେଆଇନ କଳାପଥର ଖନନକୁ ସ୍ଥାନୀୟ ଲୋକଙ୍କ ବିରୋଧ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନଶୁଣିବାରୁ ତାତିଲେ ଲୋକେ । ରାତି ସାରା ଖନନ ସ୍ଥଳରେ ବସିବା ସହ ଜବତ କଲେ ବ୍ୟବହୃତ ମେସିନ ।

ଅଭିଯୋଗ ଅନୁସାରେ, କିଛି ଖଣି ମାଫିଆ ଧର୍ମଶାଳା ଥାନା ଆରୁହା ପାହାଡ଼ରୁ ବେଆଇନ ଭାବେ କଳା ପଥର ଲୁଟ କରୁଛନ୍ତି । ପରିବହନ ଅନୁମତି ନ ଥାଇ କୋଟି କୋଟି ଟଙ୍କାର କଳା ପଥର ଚୋରା ଚାଲାଣ କରାଯାଉଛି । ଏହାସହ ବ୍ଲାଷ୍ଟିଂ ମଧ୍ୟ ହେଉଛି । ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ଵାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିଛନ୍ତି ।

ସ୍ଥାନୀୟ ଲୋକେ ଏକାଠି ହୋଇ ବେଆଇନ ଖଣି ପାଖରେ ରାତି ସାରା ଜଗି ବସିଥିଲେ । ଏହାସହ ଡ୍ରିଲିଂ ମେସିନ, ଲୋଡ଼ିଙ୍ଗ ହୋଇଥିବା ଟ୍ରକ, କମ୍ପ୍ରେସରକୁ ଅଟକ ରଖିଥିଲେ । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଗତକାଲିଠୁ ଏହି ଘଟଣା ହୋଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ଖଣି ବିଭାଗ ଅଧିକାରୀଙ୍କ ଦେଖା ମିଳିନାହିଁ । ତେଣୁ ବାଧ୍ୟ ହୋଇ ଗତ ରାତିରୁ ଜଗି ବସିଛୁ ।