CAAକୁ ଲକ୍ଷ୍ନୌରେ ଉଗ୍ର ବିରୋଧ, ପୋଲିସ ପୋଷ୍ଟ ଧ୍ୱଂସ, ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା

ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା ବ୍ୟକ୍ତି ଉଗ୍ର ଆଚରଣ କରିଛନ୍ତି । ଓଲ୍ଡ ସିଟି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । କୋନେଶ୍ୱର ଏବଂ ହୋସେନଗଞ୍ଜ ମଧ୍ୟରେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ପୋଷ୍ଟ ଧ୍ୱଂସ କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ଢେଲା ପଥର ମାଡ଼ ହୋଇଛି । ପୋଲିସ ଗାଡ଼ି ଏବଂ ସାଧାରଣ ଲୋକଙ୍କ ଗାଡ଼ି ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏବେବି ବିଭିନ୍ନ ସ୍ଥାନରେ ଚାପା ଉତ୍ତେନା ଲାଗି ରହିଛି । 

ହୋସିନାବାଦ, ଦାଲିଗଞ୍ଜ, ତୀଲ ଓ୍ୱାଲି ମସଜିଦ ଏବଂ ଛୋଟା ଇମାମ୍ବରା ପ୍ରଭୃତି ଅଞ୍ଚଳରେ ପୋଲିସ ସହ ସଂଘର୍ଷ ହୋଇଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ଉତ୍ତର ପ୍ରଦେଶ ପୋଲିସ । ହିଂସା ଏଭଳି ରୂପ ଧାରଣ କରିଛି ଯେ, ପୋଲିସକୁ ଭିଡ଼ ନିୟନ୍ତ୍ରଣ ପାଇଁ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ଼ କରିବାକୁ ପଡ଼ିଛି । ଲକ୍ଷ୍ନୌରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ହିଂସା ପ୍ରଦର୍ଶନ କରାଯାଉଥିବା ବେଳେ ପ୍ରଦର୍ଶନୀକାରୀ ମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କିଛି ସ୍ଥାନରେ ଲାଠିଚାର୍ଜ କରିଛି ।

ଆନ୍ଦୋଳନକାରୀ ପ୍ରଥମେ ପୋଲିସ ଉପରକୁ ଢ଼େଲା ପଥର ମାଡ଼ କରିବା ପରେ, ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହାପରେ ଉତ୍ତର ପ୍ରଦେଶ ପୋଲିସ ଡିଜିପି ଓପି ସିଂହ ହଜରତଗଞ୍ଜ ପରିଦର୍ଶନ କରିଥିଲେ ।   

Leave a Reply