ଓଡ଼ିଶାରେ ବିରୋଧ: ରାସ୍ତାରେ ଅଟକାଇ ବାଂଲାଦେଶୀ କି ନୁହେଁ ଲୋକେ କରୁଛନ୍ତି ଯାଞ୍ଚ

ବଲାଙ୍ଗୀର/ବ୍ରହ୍ମପୁର/ବାସୁଦେବପୁର/ସମ୍ବଲପୁର: ବାଂଲାଦେଶରେ ନୂଆ ସରକାର ଗଠନ ପରେ ବି ଥମୁନି ହିଂସା । ଆନ୍ଦୋଳନକାରୀ ସରକାରୀ ଅନୁଷ୍ଠାନକୁ ଟାର୍ଗେଟ କରିବା ସହ ସଂଖ୍ୟାଲଘୁ ହିନ୍ଦୁଙ୍କୁ ବି ଛାଡୁନାହାନ୍ତି । ବାଂଲାଦେଶରେ ହିନ୍ଦଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରଭାବ ଭାରତରେ ଦେଖିବାକୁ ମିଳୁଛି । ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଲୋକେ ଆକ୍ରୋଶ ବାହାର କରୁଛନ୍ତି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ବାଂଲାଦେଶୀଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳୁଛି । ବିଶେଷ କରି ବଲାଙ୍ଗୀର ଓ ବ୍ରହ୍ମପୁରରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ ଦେଖିବାକୁ ମିଳିଛି ।

ବାଂଲାଦେଶୀଙ୍କୁ ତଡିପାର ପାଇଁ ବଲାଙ୍ଗୀର ଜିଲ୍ଲାରେ ବାଂଲାଦେଶୀ ହଟାଓ ଅଭିଯାନ ଆରମ୍ଭ ହୋଇଛି । ବାଂଲାଦେଶ ରୋହିଙ୍ଗ୍ୟା ହଟାଓ ଅଭିଯାନ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ । ବାଂଲାଦେଶ ସୀମା ଓ ପଶ୍ଚିମବଙ୍ଗରୁ ଆସି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ରହୁଛନ୍ତି ହଜାର ହଜାର ଶ୍ରମିକ, ଫେରିବାଲା, କବାଡ଼ି ୱାଲା ଓ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକ । ସେମାନଙ୍କୁ ତଡିପାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ରାସ୍ତାରେ ଯାଉଥିବା ଶ୍ରମିକ ଓ ଫେରିବାଲାକୁ ଦେଖିଲା ମାତ୍ରେ ଲୋକେ ବିରୋଧ କରିବା ଆରମ୍ଭ କରିଦେଉଥିବା ଦେଖିବାକୁ ମିଳୁଛି ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏଭଳି କିଛି ଭିଡ଼ିଓ। ଯେଉଁଥିରେ ଫେରିବାଲା ଓ ଶ୍ରମିକଙ୍କୁ ଅଟକାଇ ପଚରାଉଚରା କରୁଛନ୍ତି ଲୋକେ । ଫଳରେ ବାହାରୁ ଆସି ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କିଛି ବାଂଲାଦେଶୀ ରୋହିଙ୍ଗ୍ୟା ଲୋକେ ଭୟରେ ଲୁଚି ବିଳମ୍ବିତ ରାତିରେ ଚାଲିଯାଉଥିବା ବେଳେ ଆଉ କିଛି ଘରୁ ବାହାରୁ ନାହାନ୍ତି । ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଓ ସହରରେ ବୁଲାବୁଲି କରୁଥିବା ରୋହିଙ୍ଗ୍ୟାକୁ ଦେଖିଲେ ଲୋକେ ବିରୋଧ କରିବା ଆରମ୍ଭ କରିଦେଉଛନ୍ତି ।

ହିନ୍ଦୁଙ୍କ ପ୍ରତି ଅତ୍ୟାଚାରକୁ ବିରୋଧ

ସେହିପରି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବାରୁ ବ୍ରହ୍ମପୁରରେ ଏହାର ପ୍ରତିବାଦ କରାଯାଇଛି । ବ୍ରହ୍ମପୁର ଗାନ୍ଧିନଗର ମେନ ରୋଡରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି ।

ବାଂଲାଦେଶୀ ସନ୍ଦେହରେ ମାଡ଼

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ଛକରେ ବାଂଲାଦେଶୀ ସନ୍ଦେହରେ ଅଟୋରେ ଯାଉଥିବା ବେଳେ ୬ ଜଣକୁ ଅଟକ ରଖି ପୋଲିସକୁ ଜିମା ଦେଲେ ସ୍ଥାନୀୟ ଲୋକେ।  ଅଟକ ଥିବା ୫ ଜଣ ଦିବ୍ୟାଙ୍ଗ । ପାଦ ନଥିବାରୁ ଘୁଷୁରି ଘୁଷୁରି ଯାଉଛନ୍ତି । ଏମାନେ ଭିକ ମାଗି ଜୀବିକା ନିର୍ବାହ କରନ୍ତି । ଭଦ୍ରକରୁ ଏକ ଅଟୋ ଯୋଗେ ବାସୁଦେବପୁର ଭିକ ମାଗିବାକୁ ଆସିଥିବା କହିଛନ୍ତି । ସ୍ଥାନୀୟ ଲୋକ ସେମାନଙ୍କୁ ପରିଚୟ ମାଗିଥିବାବେଳେ ସେମାନେ ପରିଚୟ ଠିକ ଭାବରେ ଦେଇ ନପାରିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଅଟୋ ଚାଳକକୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିଛି। ଅଟକ ଥିବା ସମସ୍ତ ବ୍ୟକ୍ତି ବିହାରର ବୋଲି ପୋଲିସ କହିଛି ।

ବାଂଲାଦେଶୀ ସନ୍ଦେହରେ ଧରିଲେ ଲୋକେ

ସମ୍ବଲପୁରରେ ମଧ୍ୟ ବାଂଲାଦେଶ ହିସାଂର ପ୍ରଭାବ । ବାଂଲାଦେଶୀ ଅନୁପ୍ରବେଶକାରୀ ଜିଲ୍ଲା ମଧ୍ୟକୁ ପଳାଇ ଆସିବା ସନ୍ଦେହରେ ଲୋକେ । ଏପରିକି ଆଗରୁ ବହୁ ବାଂଲାଦେଶୀ ଏଠାରେ ବିଭିନ୍ନ କାମ କରୁଥିବାର ସନ୍ଦେହ କରାଯାଉଛି । ବାଂଲାଦେଶୀ ସନ୍ଦେହରେ ସମ୍ବଲପୁରରେ କିଛି ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି  ସ୍ଥାନୀୟ ଲୋକେ । ସେମାନେ ବୁଢ଼ାରଜା ଅଞ୍ଚଳରେ ଏକ ନିର୍ମାଣାଧୀନ ଫ୍ଲାଟରେ କାମ କରୁଥିଲେ । ପୋଲିସ ସେମାନଙ୍କର ଆଧାର, ଫୋନ ନମ୍ବର ଓ ଅନ୍ଯ ପରିଚୟ ପତ୍ର ଯାଞ୍ଚ କରିଛି । ତେବେ ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପଚରା ଉଚରା ପରେ ସେମାନଙ୍କୁ ଛାଡ଼ି ଦେଇଛି ପୋଲିସ । ବାଂଲାଦେଶରେ ସଂଖ୍ଯାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଭାରତର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ପ୍ରତିକ୍ରିୟା। ବାହାରୁ ଆସି କାମ କରୁଥିବା ଲୋକଙ୍କୁ ଲୋକେ ସନ୍ଦେହ କରୁଛନ୍ତି । ଏହା ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ନଜର ରଖିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।