ତେଜୁଛି କୃଷି ବିଲ୍ ବିରୋଧୀ ଜନମତ, ସାଧାରଣ ଚାଷୀଙ୍କ ଭବିଷ୍ୟତ ନେଇ ସୃଷ୍ଟି ହେଲା ପ୍ରଶ୍ନବାଚୀ…

ଭୁବନେଶ୍ୱର,  କୃଷି ବିଲ ରାଜ୍ୟ ସଭାରେ ଗୃହୀତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ସଂସଦରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ଏହାକୁ ଏବେ ବି ବିରୋଧ ଜାରି ରଖିଛନ୍ତି । ପଞ୍ଜାବ,ହରିୟାଣା, ପଶ୍ଚିମ ୟୁପିରେ କୃଷକମାନେ ସିଧାସଳଖ ଏହି ବିଲ୍ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଲେଣି । କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ରବି ଫସଲ ପାଇଁ ଏମ୍ ଏସ ପି ଘୋଷଣା ମଧ୍ୟ କରିସାରିଛନ୍ତି । ବିରୋଧୀଙ୍କ ବିରୋଧକୁ ଚେକ୍ ଦେବା ପାଇଁ ଖବରକାଗଜଗୁଡିକରେ ମଧ୍ୟ ଆଜି ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦିଆଯାଇଛି ।

ଏହି ସବୁ ମଧ୍ୟରେ ବିଲକୁ ନେଇ କେତୋଟି ଦିଗରେ ସରକାରଙ୍କଠାରୁ ଉତ୍ତର ମଧ୍ୟ ମଗାଯାଉଛି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ସରକାର ବିରୋଧୀ ସ୍ୱର ଦେଖିବାକୁ ମିଳିଛି । ଚାଷ ଏବଂ ବିପଣନ ପ୍ରକ୍ରିୟା ସହ ଜଡିତ ଥିବା ବ୍ୟକ୍ତିବିଶେଷ ମାନେ ରଖିଥିବା କେତେକ ସାଧାରଣ ପ୍ରଶ୍ନ ଆମେ ନିମ୍ନରେ ପ୍ରଦାନ କରୁଛୁ ।

ଯଦି ମଣ୍ଡି ବାହାରେ ଆଉ ଗୋଟିଏ ବଜାର ସୃଷ୍ଟି ହେଲେ ବଜାରରେ ପ୍ରତିଯୋଗିତା ବଢି କୃଷିଜାତ ଦ୍ରବ୍ୟର ମୂଲ୍ୟ ବଢିବ, ତେବେ ଆଜି ପର୍ଯ୍ୟନ୍ତ କାହିଁକି ଅଧିକ ମିଳୁନାହିଁ ? କାରଣ ଆଜି ବି ସିଂହଭାଗ ଚାଷୀ ମଣ୍ଡି ବାହାରେ ବିକୁଛନ୍ତି । ସେମାନଙ୍କୁ କ’ଣ ଏବେ ମଣ୍ଡି ଠାରୁ ଅଧିକ ମୁଲ୍ୟ ମିଳୁଛି ? ସେହିପରି ମଣ୍ଡି ବାହାରେ ବିକ୍ରି ଯଦି ଦେୟମୁକ୍ତ ହେବ, ଚାଷୀ ଆଉ ମଣ୍ଡିରେ ବିକିବେ ନାହିଁ । ତେଣୁ ଧିରେ ଧିରେ ମଣ୍ଡି ବନ୍ଦ ହୋଇଯିବ। ତାପରେ ମଣ୍ଡି ବାହାର ବେପାରିଙ୍କ ଏକଚାଟିଆ ବେପାର ରୁ ଚାଷୀଙ୍କୁ କିଏ ବଞ୍ଚେଇବ ? ଅନରୂପ ଭାବେ କେନ୍ଦ୍ର ସରକାର  ଯଦି ଆଶ୍ଵାସନା ଦେଉଛନ୍ତି ଯେ,  ସହାୟକ ମୂଲ୍ୟ ବନ୍ଦ ହେବନାହିଁ, ସେହି ବିଷୟ ଲିଖିତ ଭାବେ ଆଇନରେ ଉଲ୍ଲେଖ କରୁନାହାନ୍ତି କାହିଁକି ବୋଲି କେତେକ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏମିତି କୌଣସି ସଫଳ ଉଦାହରଣ ମଧ୍ୟ ନାହିଁ, ଯେଉଁଠାରେ କୃଷି ଦ୍ରବ୍ୟକୁ ମୁକ୍ତ ବଜାର ହାତରେ ଛାଡି ଦିଆଯାଇଛି  । ଏଥିସହିତ ଏହି ବ୍ୟବସ୍ଥା ପରେ ଉକ୍ତ ସ୍ଥାନରେ କୃଷକମାନଙ୍କ ଅବସ୍ଥା ପୂର୍ବାପେକ୍ଷା ଉନ୍ନତି ହୋଇଛି କି । ପୂର୍ବରୁ ଅନ୍ୟତମ କୃଷି ପ୍ରଧାନ ରାଜ୍ୟ ବିହାରରେ ୨୦୦୬ ମସିହାରୁ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଛି ଓ ବଜାର ବ୍ୟବସ୍ଥା ଲାଗୁ ହୋଇସାରିଛି । ହେଲେ ସେଠାରେ ଚାଷୀ ଆଖିଦୃଶିଆ ତଥା ଉଚିତ ମୂଲ୍ୟ ପାଉ ନ ଥିବା ଅଭିଯୋଗ ହେଉଛି ।

 

 

Leave a Reply