ଖେଳିବ କାଚକେନ୍ଦୁ ପାଣି, କଟକର ୧୫ଟି ପରିତ୍ୟକ୍ତ ପୋଖରୀର ଉନ୍ନତିକରଣ ପାଇଁ ପ୍ରସ୍ତାବ

କଟକ: ପୁଣି ଖେଳିବ କାଚକେନ୍ଦୁ ପରି ପାଣି । ସୌନ୍ଦର୍ଯ୍ୟକରଣ ସହ ପୋଖରୀ ପାଇବ ନୂଆ ରୂପ । ଅବସର ବିନୋଦନର ହେବ ପ୍ରମୁଖ ମାଧ୍ୟମ । ନୂଆ ରୂପ ପାଇବ ସହରାଞ୍ଚଳ ଜଳାଶୟ । ଆରମ୍ଭ ହେଲା ମୋ ପୋଖରୀ ସହରାଞ୍ଚଳ ନବୀକରଣ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ବୃହତ ଜଳାଶୟଗୁଡ଼ିକର ନବୀକରଣ ହେବ । ଏହି ଯୋଜନାରେ କଟକର ୧୫ଟି ପ୍ରମୁଖ ତଥା ପୁରାତନ ପୋଖରୀ ଏଥିରେ ସ୍ଥାନ ପାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଜଳାଶୟର ଆରମ୍ଭ ହୋଇଛି ପୁନଃରୁଦ୍ଧାର କାର୍ଯ୍ୟ । ଗଙ୍ଗାମନ୍ଦିର ପୋଖରୀ, ମିଶନ ରୋଡ୍ ଖ୍ରୀଷ୍ଟୟାନ ପୋଖରୀ, ନୂଆପଡ଼ା ବାଳାଶ୍ରମ ପୋଖରୀ, ଶିଖରପୁର କୋର ପୋଖରୀ ବିକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର ।

ସହରର ଏହି ସବୁ ଜଳାଶୟ ମଶା ଉତ୍ପତିର ପ୍ରମୁଖ କେନ୍ଦ୍ର ଥିଲା । ବହୁଦିନ ଧରି ବ୍ୟବହାର ନ ହେବା କାରଣରୁ ସହରର ପରିବେଶକୁ ଦୂଷିତ କରୁଥିଲା । ତେବେ ଏବେ ସରକାର ଏହି ପୋଖରୀ ଗୁଡିକର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି । ଏହା ସମସ୍ତଙ୍କ ପାଇଁ ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ଅବସର ବିନୋଦନ ପାଇଁ ବେଶ ସହାୟକ ହେବ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ । ଏହି ପୋଖରୀଗୁଡିକର ବିକାଶ କାର୍ଯ୍ୟକ୍ରମ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ସିଏମସି ଯୋଜନା ପ୍ରସ୍ତୁତ କରିଛି ।