ସ୍ତ୍ରୀଙ୍କ ନାମରେ ସ୍ବାମୀ କିଣିଥିବା ସମ୍ପତ୍ତି ଏଣିକି ପରିବାରର ସମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀଙ୍କ ନାମରେ ସ୍ବାମୀ କିଣିଥିବା ସମ୍ପତ୍ତି ଏଣିକି ପରିବାର ସଦସ୍ୟଙ୍କ ସମ୍ପତ୍ତି ରୁପେ ବିବେଚନା କରାଯିବ । ଏକ ସମ୍ପତ୍ତିଗତ ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବାପାଙ୍କ ମୃତ୍ୟୁ ପରେ, ପୁଅ ସମ୍ପତ୍ତିର ଉତ୍ତରାଧିକାରୀ  ଦାବି କରୁଥିବା ଏକ ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଅରୁଣ କୁମାର ଦେସୱାଲ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ହିନ୍ଦୁ ପରିବାରରେ ଥିବା ରକ୍ଷଣଶୀଳ ମନୋଭାବ ଯୋଗୁ, ସ୍ବାମୀ, ସ୍ତ୍ରୀଙ୍କ ନାମରେ ହିଁ ସମ୍ପତ୍ତି କ୍ରୟ କରିଥାନ୍ତି, କିନ୍ତୁ, ପରିବାରର ମୁଖ୍ୟ ଏହି ସମ୍ପତ୍ତି କ୍ରୟ କରିଥିବାରୁ,ତା ଉପରେ ପୁରା ପରିବାରର ଅଧିକାର ରହିବା ସ୍ବାଭାବିକ ।

ଯଦି ସ୍ତ୍ରୀ ଜଣକ ନିଜ ଆୟସୂତ୍ରରୁ ଏଭଳି କି ସମ୍ପତ୍ତି କ୍ରୟ କରିଥାନ୍ତି, ଏବଂ ତାର ଯଥେଷ୍ଟ ପ୍ରମାଣ ରହିଥାଏ ତେବେ ତାହା ତାଙ୍କ ନିଜସ୍ବ ସମ୍ପତ୍ତି ବୋଲି ବିବେଚନା କରାଯାଇପାରେ କିନ୍ତୁ,ଯଦି ସ୍ବାମୀ ପରିବାରର ମୁଖ୍ୟ ଭାବରେ ସମ୍ପତ୍ତି କିଣି ସ୍ତ୍ରୀଙ୍କ ନାମରେ ତାହା ପଞ୍ଜିକୃତ କରିଥାନ୍ତି ତେବେ ତାହା କେବଳ ସ୍ତ୍ରୀଙ୍କ ସମ୍ପତ୍ତି, ବା ଜଣେ ସନ୍ତାନର ସମ୍ପତ୍ତି ରୁପେ ବିବେଚନା କରାନଯାଇ ପରିବାରର ସମ୍ପତ୍ତି ରୁପେ ଗ୍ରହଣ କରାଯିବ । ପୂର୍ବରୁ ପରିବାରର ମୁଖ୍ୟଙ୍କ ମୃତ୍ୟୁ ପରେ, ସେ ସ୍ତ୍ରୀଙ୍କ ନାମରେ କିଣିଥିବା ସମ୍ପତ୍ତିରେ କେବଳ ସଂପୃକ୍ତ ମହିଳାଙ୍କ ଅଧିକାର ରହୁଥିଲା । ସେ ନିଜ ଇଛାରେ ଉଇଲ କରି ଅନ୍ୟଜଣଙ୍କ ନାମରେ ସମ୍ପତ୍ତି ହସ୍ତାନ୍ତର କରିପାରୁଥିଲେ ହେଲେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ଏଣିକି ସ୍ବାମୀ, ସ୍ତ୍ରୀଙ୍କ ନାମରେ କିଣିଥିବା ସମସ୍ତ ସମ୍ପତ୍ତି ପରିବାରର ସମ୍ପତ୍ତି ରୁପେ ପରିଗଣିତ ହେବ ।