ସିଏମ ପୋର୍ଟାଲରୁ ଗାଏବ ମନ୍ତ୍ରିମଣ୍ଡଳ ଓ ସଚିବଙ୍କ ସମ୍ପତ୍ତି ତାଲିକା, ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ?

ଭୁବନେଶ୍ବର : ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ? ଦୁର୍ନୀତି ନିବାରଣ ନାରା କଣ ଖାଲି ଧର୍ମକୁ ଆଖିଠାର ! ବିଜେପି କ୍ଷମତାକୁ ଆସିବା ପରେ ରଙ୍ଗ ବଦଳିଲା । ବଦଳିଲା ଅନେକ ଯୋଜନାର ନାଁ । ହେଲେ ବଦଳି ଗଲା କି ସ୍ବଚ୍ଛ ପ୍ରଶାସନ ଆଭିମୁଖ୍ୟ ? ଆଉ ଦେଖିବାକୁ ମିଳୁନି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଓ୍ବେବ୍ ପୋର୍ଟାଲରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ସ୍ତମ୍ଭ । ଏକଥା ଜଣାପଡ଼ିବା ପରେ ଏବେ ମୋହନ ସରକାରଙ୍କୁ ଏପରି ପୁଳା ପୁଳା ପ୍ରଶ୍ନରେ ପୋତି ଦେଲେଣି ବିରୋଧୀ । ଦୁର୍ନୀତି ନିବାରଣ ସପ୍ତାହ ଉଦଘାଟନ କରି ଖୋଦ ମୁଖ୍ୟମନ୍ତ୍ରୀ କହିଲେ ଦୁର୍ନୀତି ହେଉଛି କର୍କଟ ରୋଗ ସଦୃଶ । ଗତ ନିର୍ବାଚନରେ ରାଜ୍ୟକୁ ସ୍ବଚ୍ଛ ପ୍ରଶାସନର ଦ୍ବାହି ଦେଇ ଶାସନକୁ ଆସିଛି ବିଜେପି । କ୍ଷମତାକୁ ଆସିବାର ମାତ୍ର ୫ ମାସ ପୂରିନି ଲୋକଙ୍କ ପାଇଁ ଉପଲବ୍ଧ ହେଉଥିବା ତଥ୍ୟକୁ ହଟାଇଲେ କାହିଁକି ? ଏ ନେଇ ସରକାରଙ୍କୁ ଟାର୍ଗେଟ୍ କରି କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କହିଛନ୍ତି ଏ ନେଇ ସରକାର ସ୍ପଷ୍ଟ କରନ୍ତୁ । ସେପଟେ ସମବାୟ ମନ୍ତ୍ରୀଙ୍କ କହିଛନ୍ତି, ସ୍ବଚ୍ଛ ପ୍ରଶାସନ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଏବେ ପୋର୍ଟାଲରେ ଦେଖିବାକୁ ମିଳୁନି । ଆଗକୁ ହୋଇପାରେ ।

ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସମ୍ପତ୍ତି ତାଲିକା ଦେବାର ବିଧି ବ୍ୟବସ୍ଥା ଆଗରୁ ଚାଲୁଥିଲା । ୨୦୨୦ ମସିହାରେ  ନବୀନ ସରକାର ଏହାକୁ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଲେ । କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ପଞ୍ଚାୟତ ପ୍ରତିନିଧିଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କ ସମ୍ପତ୍ତି ତାଲିକ ବର୍ଷଓ୍ବାରୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ପୋର୍ଟାଲରେ ଉପଲବ୍ଧ ହୋଇଆସୁଥିଲା । ଏହାସହିତ ଏହି ବିବରଣୀ ମଧ୍ୟ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଉଥିଲା । ଏ ସରକାରକୁ ବର୍ଷେ ପୂରିନି । ଯଦି ସରକାର ଚାହୁଁଛନ୍ତି ଯେ, ବର୍ଷକ ପରେ ସମ୍ପତ୍ତି ତାଲିକା ଉପଲବ୍ଧ କରାଯିବ । ତାହେଲେ ପୂର୍ବରୁ ଥିବା ସ୍ତମ୍ଭଟି ଖାଲି ରଖା ଯାଇପାରିଥାନ୍ତା । ତାହା ନ କରି ସମ୍ପୂର୍ଣ୍ଣଭାବେ ଏହାକୁ ହଟାଇ ଦେଇଛନ୍ତି । ଏହା ସୂଚାଉଛି , ଏ ସରକାର ଆଉ ଜନପ୍ରତିନିଧିଙ୍କ ସମ୍ପତ୍ତି ବିବରଣୀ ବ୍ୟବସ୍ଥାଟିକୁ ନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସରକାରୀସ୍ତରରେ କିଛି କ୍ୟାବିନେଟ୍ ନିଷ୍ପତ୍ତି ହୋଇନି କି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ସାଧାରଣରେ ଦିଆଯାଇନି । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା । ବିଜେଡି ସରକାର ସମୟରେ ଥିଲା । ଏବେ ବି ସମାନ ସ୍ଲୋଗାନ ଦେଉଛନ୍ତି ଡବଲ ଇଞ୍ଜିନ ସରକାର । ପ୍ରଶ୍ନ ଉଠୁଛି ଯେଉଁ ନାରାକୁ ବିଶ୍ବାସ କରି ଲୋକେ ବିଜେପିକୁ କ୍ଷମତାକୁ ଆଣିଲେ ଏବେ ସମ୍ପତ୍ତି ତାଲିକା ବ୍ୟବସ୍ଥା ହଟାଇ ସେଇ ଲୋକଙ୍କ ବିଶ୍ବାସକୁ କୁଠାରଘାତ କରୁଛନ୍ତି କି ରାଜ୍ୟ ସରକାର ?