ନନ୍ଦିଘୋଷ ବ୍ୟୁରୋ:ରାଜଧାନୀରେ ହଷ୍ଟେଲ ମାଲିକଙ୍କ ସ୍ତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଘରୋଇ କଳି ପରେ ହଷ୍ଟେଲରେ ରହୁଥିବା ଯୁବତୀଙ୍କ ଉପରେ ସୁଝାଇରେ ରାଗ । ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଜୟଦେବ ବିହାର ଲେନ୍ ୭ ରେ ଥିବା ମନୋଜ ମହାନ୍ତି ହଷ୍ଟେଲ ଯୁବତୀଙ୍କୁ ହଷ୍ଟେଲ ମାଲିକାଣି ମାଡ଼ ମାରି ମୁଣ୍ଡ ଫଟେଇ ଦେଇଥିବା ଅଭିଯୋଗ ହୋଇଛି । ମନୋଜ ମହାନ୍ତି ପୂର୍ବରୁ ଘର ଭଡ଼ା ନେଉଥିବା ବେଳେ ଏବେ ସ୍ତ୍ରୀ ପ୍ରିୟମ୍ବଦା ମହାନ୍ତି ଭଡ଼ା ଟଙ୍କା ନେବା ପାଇଁ ରହୁଥିବା ଯୁବତୀଙ୍କୁ କହିଥିଲେ । ଘର ମାଲିକ ମନୋଜ୍ ଓ ତାଙ୍କ ଭଉଣୀ ଟଙ୍କା ନେଉଥିବା କଥା କହିବାରୁ ରାଗିଯାଇଥିଲେ ପତ୍ନୀ ପ୍ରିୟମ୍ବଦା ଆଜି ସକାଳୁ ହଷ୍ଟେଲ ରୁମ୍ ରେ ପସି ଯୁବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିବା ଯୁବତୀଙ୍କୁ ବାହାର ପଟୁ ତାଲା ପକାଇ, ପାଣି ଓ ବିଦ୍ୟୁତ୍ କାଟି ଦେଇଥିଲେ । ଖବର ପାଇ ପିସିଆର ଓ ନୟାପଲ୍ଲୀ ଥାନା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା କରିଛି । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଏନେଇ ପ୍ରିୟମ୍ବଦା ମହାନ୍ତିଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

