spot_img

Latest Posts

ପ୍ରଫେସର ଡ. ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ପରଲୋକରେ ପ୍ରଫେସର ଡକ୍ଟର ସୁନୀଲକାନ୍ତ ବେହେରା । ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାବେ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ ପ୍ରଫେସର ସୁନୀଲକାନ୍ତ ବେହେରା । ଆଜି ଅପରାହ୍ନରେ ବ୍ରହ୍ମପୁରସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 67ବର୍ଷ ବୟସ ହୋଇଥିଲା । ନିକଟରେ ତାଙ୍କ ସହଧର୍ମିଣୀ ଉପସ୍ଥିତ ଥିଲେ ।

ଏହି ଦୁଃଖଦ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା କରିବା ପରେ 2015ମସିହାରେ ଅବସର ଗ୍ରହଣ କରିଥିଲେ । ପରେ ଆସାମ୍‌ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣଯୋଗାଯୋଗ ବିଭାଗର ଡିନ୍‌ ଭାବରେ ଯୋଗଦେଇଥିଲେ। ଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ ।

ତାଙ୍କ ପରଲୋକରେ ରାଜ୍ୟସଭା ସଦସ୍ୟ ତଥା ନନ୍ଦିଘୋଷ ଟିଭି ଓ ସକାଳ ଗ୍ରୁପ୍‌ ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଗଣଯୋଗାଯୋଗ ବିଭାଗ ମୁଖ୍ୟ ଗଣେଶ୍ବର ସେଠୀ, ଜୟନ୍ତ ପଣ୍ଡା, ବନ୍ଦନା ପଣ୍ଡା, ଚିନୁ ବହିଦାର, କଲୋକାତା ବିଶ୍ବବିଦ୍ୟାଳୟର ଉମାଶଙ୍କର ପାଣ୍ଡେ, ହୃଷୀକେଶ ପାଣିଗ୍ରାହୀ, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, କୋରାପୁଟ କେନ୍ଦୀୟ ବିଶ୍ବବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଦୋଷ ରଥ, ବାଲେଶ୍ବର ବିଶ୍ବବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡକ୍ଟର ଭାରତୀ ବାଳା ପଟ୍ଟନାୟକ, ସିପିଏମ୍‌ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଅଧ୍ୟାପକ ଅଧ୍ୟାପିକା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ତାଙ୍କ ଦେହାନ୍ତରେ ଭାରତୀୟ ସାମ୍ବାଦିକତା ଓ ଗଣଯୋଗାଯୋଗ ଆକାଶରେ ଏକ ତାରା ଲୁଚିଗଲା ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇମାସ ପୂର୍ବେ ପ୍ରଫେସର ବେହେରା ମୃତ୍ୟୁ ପରେ ତାଙ୍କ ଶରୀର ଡାକ୍ତରୀ ଗବେଷଣା ପାଇଁ ଏମ୍‌କେସିଜିର ଆନାଟୋମି ବିଭାଗକୁ ଦାନ କରିବାକୁ ଇଛାପତ୍ର ସ୍ଵାକ୍ଷର କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବେଙ୍ଗାଲୁରଠାରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଫେରିବା ପରେ ସ୍ଵର୍ଗତ ବେହେରାଙ୍କ ମୃତଦେହ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି ।

Latest Posts

Don't Miss