ବିଶ୍ୱବିଦ୍ୟାଳୟ ହତାରେ ପହଞ୍ଚିଲା ପାରିବାରିକ କଳି, କବାଟ କିଳି ପିଟିଲେ

ବ୍ରହ୍ମପୁର: ବିଶ୍ୱବିଦ୍ୟାଳୟ ହତାରେ ପହଞ୍ଚିଲା ପାରିବାରିକ କଳି  । କବାଟ କିଳି ଚପଲରେ ପ୍ରଫେସରଙ୍କୁ ପିଟିଲେ ମହିଳା । ପିଜି କାଉନସିଲ କାର୍ଯ୍ୟାଳୟ ପରିସରରେ ଥିବା ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଏକ ଭିଡ଼ିଓ ଭାଇରଲ ହୋଇଛି । ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବେଳେ ଜଣେ ମହିଳା ପ୍ରାୟ ୧୧:୫୦ ସମୟରେ ଆସି ରୁମରେ ପଶିଥିଲେ  ।

ଭିତର ପଟୁ କବାଟ ଦେଇ ପ୍ରାୟ ଅଧା ଘଣ୍ଟା ସମୟ ଧରି ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ । କିଛି ଅଧ୍ୟାପକ ଅଧ୍ୟାପିକା ପାଟି ଶୁଣି କବାଟ ଖୋଲିବା ପାଇଁ କବାଟ ବାଡ଼େଇ ଥିଲେ । କବାଟ ନ ଖୋଲିବାରୁ କର୍ମଚାରୀ ନିରାପତ୍ତା ଅଧିକାରୀଙ୍କୁ ଘଟଣା ନେଇ ଜଣାଇଥିଲେ । କେତେକ କର୍ମଚାରୀ ସେଠାରେ ପହଞ୍ଚି କବାଟ ବାଡେଇବା ପରେ ନ ଖୋଲିବାରୁ ରୁମର ଭେଣ୍ଟିଲେସନ ପଟୁ ଦେଖିବା ବେଳେ ଜଣେ ମହିଳା ଆସୋସେଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଉକ୍ତ କୋଠରୀର କବାଟ ଖୋଲା ଯାଇଥିଲା ।

ପଚରାଉଚୁରାରୁ ଜଣାପଡିଥିଲା ଯେ ମହିଳା ଜଣକ ତାଙ୍କର ଧର୍ମପତ୍ନୀ ବୋଲି । ଉଭୟଙ୍କୁ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଘଟଣା ବୋଲି ଶୁଣିବାକୁ ମିଳୁଛି । ଏ ନେଇ ଆଜି ଦାୟିତ୍ଵରେ ଥିବା ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଯୋଗାଯୋଗ କରାଯିବା ବେଳେ ସେ ଖବର ଜାଣିଥିବା କହିବା ସହ ଘଟଣା ନେଇ କୌଣସି ଅଭିଯୋଗ ହୋଇନଥିବା କହିଥିଲେ ।

ସେପଟେ ଆସୋସିଏଟ ପ୍ରଫେସରଙ୍କ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ଅନୁମାନ କରାଯାଉଛି  । ସେହିପରି ଇଂରାଜୀ ବିଭାଗର କିଛି କାର୍ଯ୍ୟକଳାପକୁ ଲୋକଲୋଚନକୁ ନ ଆଣିବା ପାଇଁ ପ୍ରଫେସରଙ୍କ ପତ୍ନୀଙ୍କୁ ଭୂଲ ତଥ୍ୟ ଦେଇ ଏପରି ଘଟଣା ଘଟାଇବାକୁ ଉସୁକେଇ ଥିବା ନେଇ କ୍ୟାମ୍ପସ ପରିସରରେ ଚର୍ଚ୍ଚା ହେଉଛି।