ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ଶରତ ସାରସ୍ବତ ସମ୍ମାନ ପ୍ରଦାନ

କଟକ: ପ୍ରତ୍ୟେକ ମଣିଷ ଭିତରେ ଲୁଚି ରହିଛି ଏକ ସୃଜନଶୀଳତା । ଯେମିତି ଜଣେ ଶିଳ୍ପୀ ନିଜର କଳାପାରଦର୍ଶିତାକୁ ସାମ୍ନାକୁ ଆଣନ୍ତି, ସେମିତି ଜଣେ ଲେଖକ ନିଜର ସୃଷ୍ଟି ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜକୁ ବ୍ରତୀ କରିଥାଏ । କଟକ ବାଣୀପୀଠ ଶ୍ରୀରାମ ଚନ୍ଦ୍ର ଭବନ ପରିସରରେ ଶରତ ସାହିତ୍ୟ ଟ୍ରଷ୍ଟର ବିଂଶତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡା । ସାରସ୍ବତ ସାଧନା, ସାହିତ୍ୟ ଗବେଷଣ, ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିରବିଚ୍ଛିନ୍ନ ଭାବେ କାମ କରି ଆସୁଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠା ଉତ୍ସବରେ ବହୁ ଜଣାଶୁଣା ସାହିତ୍ୟିକ, ଗବେଷକ, କବି, ପ୍ରାବନ୍ଧିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଉତ୍ସବରେ ଜଣାଶୁଣା ସାରସ୍ବତ ସାଧିକା ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡା, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସାହିତ୍ୟିକ ବିଜୟାନନ୍ଦ ସିଂ, ସାହିତ୍ୟିକ ଇଞ୍ଜିନିୟର ନିଶିତ ରଞ୍ଜନ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାହିତ୍ୟି କିଭଳି ବିଭିନ୍ନ ପରିସ୍ଥିତିରେ ଗତିକରି ପୁଣି ରୁଦ୍ଧିମନ୍ତ ହେଉଛି ସେ ସଂପର୍କରେ ଆଲୋକପାତ କରିଛନ୍ତି । ସାହିତ୍ୟି ରଚନା, ଗଳ୍ପ, କବିତା କିପରି ବିଭିନ୍ନ ସମୟରେ ସମାଜ ଓ ବ୍ୟକ୍ତିଗତ ଜୀବନ ଉପରେ ସୁଦୂର ପ୍ରସାରୀ ପ୍ରଭାବ ପକାଇଥାଏ ତାହା ବଖାଣିଛନ୍ତି ପ୍ରଫେସର ଡକ୍ଟର ଗାୟତ୍ରୀବାଳା । ତାଙ୍କ ରଚିତ ଛୋଟ ଛୋଟ କବିତା ଓ ଗଳ୍ପ କିଭଳି ଜଣେ ଅଧ୍ୟାପିକାଙ୍କୁ ଜୀବନ ହାରିବା ନିଷ୍ପତ୍ତିରୁ ଫେରାଇ ଆଣିଥିଲା ଓ ଗୋଟିଏ ଗାଁର କିଛି ଲୋକଙ୍କୁ ନିଜର ପ୍ରବୃତି ବଦଳାଇବାକୁ ପ୍ରେରଣା ଦେଇଥିଲା ସେ କଥା ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ।

ଉତ୍ସବ ରେ ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାରସ୍ବତ ସାହିତ୍ୟ ସାଧାନା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ଅନୁଷ୍ଠାର ସର୍ବୋଚ୍ଚ ସମ୍ମାନ ଶରତ ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଗବେଷକ ଡକ୍ଟର କମଳ ମାହୁନ୍ତଙ୍କୁ କଣ୍ଡୁରୀ ଚରଣ ସ୍ମୃତି ସମ୍ମାନ, ଡାକ୍ତର ସୁହାନୀ ଦାଶଙ୍କୁ ଡାକ୍ତର ନରେନ୍ଦ୍ର କୁମାର ସ୍ମୃତି ସମ୍ମାନ ଓ ଯୁବ କବି ଦେବାଶିଷ ମହାରଣାଙ୍କୁ ଶରତ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ଶରତ ସାହିତ୍ୟ ଟ୍ରଷ୍ଟର ମୁଖପତ୍ର ଶରତ ପ୍ରଭା ଉନ୍ମୋଚିତ ହୋଇଥିଲା।

ନଜର ପକାନ୍ତୁ