spot_img

Latest Posts

ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ତାଙ୍କୁ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ସୂଚନା ଅନୁଯାୟୀ, ତାଙ୍କୁ ଆସନ୍ତା ୪ ବର୍ଷ ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍ ଆଇଆର ବିଭାଗର ପ୍ରଫେସର ଥିଲେ । ତେବେ ତାଙ୍କର ୩୦ ବର୍ଷରୁ ଅଧିକ ହେବ ଶିକ୍ଷକତା ଅଭିଜ୍ଞତା ରହିଛି। ସେ ୧୦ଟି ପୁସ୍ତକ ଲେଖିଥିବା ବେଳେ, ୧୭ ଜଣ ପିଏଚଡି ଓ ୪୦ ଜଣ ସ୍କଲାରଙ୍କୁ ଗାଇଡ କରିଥିବା ଜଣାପଡିଛି।

ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନେଇ ଉଦ୍ୟମ କରିବେ। ଏଥିସହ ଦେଶର ଶହେଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସ୍ଥାନିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୩ ନଭେମ୍ବର ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଥିଲା। ସେତେବେଳେ କ୍ଲଷ୍ଟର ଇନୋଭେସନ ସେଣ୍ଟର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବଟାନି ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ୪ ବର୍ଷ ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୪ ମାସ ମଧ୍ୟରେ ପ୍ରଫେସର ଦିନବନ୍ଧୁ ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ସେବେଠାରୁ ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବାସାଙ୍କୁ ଅତିରିକ୍ତ ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିଲା।

 

Latest Posts

Don't Miss