ଆଗକୁ ଆହୁରି ବଢ଼ିବ ଦରଦାମ, ହେବନି ଭଲ ଅମଳ; ସ୍ଥିତି ସମ୍ଭାଳି ପାରିବେ ତ ମୋହନ ସରକାର ?
ଭୁବନେଶ୍ବର: ମହଙ୍ଗା ମାଡରୁ ମିଳିବନି ମୁକ୍ତି । ପୁଣି ଘାଣ୍ଟି ହେବେ ଲୋକେ । ଶୀତ ନାହିଁ, ତାପମାତ୍ରା ବୃଦ୍ଧି ଯୋଗୁଁ ଚଳିତବର୍ଷ କମିବ ଡାଲି, ଆଳୁ, ପିଆଜ ଉତ୍ପାଦନ ସମେତ ରବି ଫସଲ । ଏପରି ଆଗୁଆ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାରୁ ଆଳୁ, ପିଆଜ ଲଗାଇବାକୁ ପାଗ ଅନୁକୂଳ ହେଉନି । ଖାଲି ସେତିକି ନୁହେଁ, ରବି ଫସଲରେ ଫିମ୍ପି ଲାଗିବା ସହିତ ନାନାଦି ରୋଗପୋକଙ୍କ ପ୍ରାଦୁର୍ଭାବ ଦାଉ ସାଧିବ । ବ୍ୟବସାୟୀ ମହାସଂଘର ଅଭିଯୋଗ ହେଲା, ଏବର ରାଜ୍ୟ ସରକାର ଆଳୁ ଓ ପନିପରିବା ଯୋଗାଣ ନେଇ ଯେପରି ପରିଚାଳନା କଲେ ଅମଳ ନ ହେଲେ ହାତ ଟେକି ଦେବେ ।
କାର୍ତ୍ତିକରେ ବୈଶାଖ ଭ୍ରମ । ଶୀତ ଗାଏବ । ତାପମାତ୍ରା ୩୧ ଡିଗ୍ରୀରୁ ୩୫ ଡିଗ୍ରୀ । ଶୀତ ଅଭାବରୁ ରବି ଫସଲ ସାଂଘାତିକ ପ୍ରଭାବିତ ହେବା ଆଶଂକା । କମିଯିବ ଡାଲି, ଆଳୁ, ପିଆଜ ଉତ୍ପାଦନ । ଆୟତନ କମିବା ସହ କମିବ ଏକର ପିଛା ଅମଳ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ।
ଚଳିତବର୍ଷ ଲଘୁଚାପ ଜନିତ ବର୍ଷା ବାତ୍ୟା ହୋଇଥିଲେ ବି ଆବଶ୍ୟକତାଠାରୁ ୪୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଅଭାବରୁ ଉତ୍ତାପ କମୁନି । ମାଟି ଶୁଖିଲା ରହୁଛି । ରବି ଫସଲ ପାଇଁ ପାଗ ଅନୁକୂଳ ହେଉନି । ଶୀତ କମ ରହିଲେ ହରଡ଼, ମୁଗ, ବିରି ଛୁଇଁରେ ଦାନା ଭଲ ହେବନି । ଯଦି ବା ହେବ ତା’ହେଲେ ସେଥିରେ ଫିମ୍ପି ସମେତ ନାନାଦି ରୋଗପୋକ ଲାଗି ରହିବ । ଫଳରେ ଯାହା କିଛି ଉତ୍ପାଦନ ହେବ ସେସବୁ ଖରାପ କ୍ବାଲିଟି ରହିବ । ଏହାସହ ଶୀତ ଦିନିଆ ପନିପରିବା ଯଥା, କୋବି, ବିନ୍, ଚିନାବାଦାମ ଫସଲ ବି ପ୍ରଭାବିତ ହେବ । ସାଧାରଣତଃ କାର୍ତ୍ତିକ ମାସରେ ରାତିରେ କାକର ପଡ଼ିଥାଏ । କିନ୍ତୁ ସବୁଜ ଗୃହ ବାଷ୍ପ ଯୋଗୁଁ ବାୟୂମଣ୍ଡଳ ଏତେ ଶୁଷ୍କ ରହିଛି ଯେ, ସେତିକି କାକର ପଡୁନାହିଁ । ଏ ସମୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ରହିଥାଏ । କିନ୍ତୁ ଏବେ ସେହି ଅଞ୍ଚଳରେ ତାପମାତ୍ରା ୧୬ରୁ ୧୭ ଡିଗ୍ରୀ ରହିଛି । ବିଡ଼ମ୍ବନାର ବିଷୟ ହେଉଛି, ପାଗ ଅନୁକୂଳ ନଥିବାରୁ ରବି ଫସଲ ଲାଗି ପାରୁନି । ବିଳମ୍ବରେ ଲାଗିଲେ ଅମଳ ମାସ ଫେବ୍ରୁଆରୀ ବେଳକୁ ତାପମାତ୍ରା ବଢିଗଲେ ଫସଲକୁ କାଳ ହେବ ।
ଓଡ଼ିଶାକୁ ବାର୍ଷିକ ୧୪ ଲକ୍ଷ ୩୫ ହଜାର ଟନ୍ ଆଳୁ ଆବଶ୍ୟକ । କିନ୍ତୁ ବାର୍ଷିକ ଉତ୍ପାଦନ ହେଉଛି ମାତ୍ର ୭୦ରୁ ୮୦ ହଜାର ଟନ୍ । ବାକି ଆବଶ୍ୟକ ଆଳୁ ବାହାର ରାଜ୍ୟରୁ ଆମଦାନୀ ହେଉଛି । ସେହିପରି ରାଜ୍ୟରେ ହରଡ଼, ମୁଗ, ମସୁର, ବିରି ମିଶି ବର୍ଷକୁ ଆବଶ୍ୟକ ୯ ଲକ୍ଷ ୨୫ ହଜାର ଟନ୍ ଡାଲି । କିନ୍ତୁ ରାଜ୍ୟରେ ଉତ୍ପାଦନ ହେଉଛି ମାତ୍ର ୮୦ରୁ ୯୦ ହଜାର ଟନ୍ । ଲୋକଙ୍କୁ କିପରି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ହେବ ତାକୁ ଦେଖିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ । ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି, ଏବର ରାଜ୍ୟ ସରକାର ପଶ୍ଚିମବଙ୍ଗ ଆଳୁ ବନ୍ଦ କରିବାରୁ ଯେପରି ଯୋଗାଣ ପରିଚାଳନା କଲେ ତାହା ସମସ୍ତଙ୍କୁ ଜଣା । ଆସନ୍ତାଦିନରେ ଅମଳ କମିବାର ବାହାନା ନେଇ ସିଧା ଜଗନ୍ନାଥଙ୍କ ଭରସାରେ ରାଜ୍ୟବାସୀଙ୍କୁ ଛାଡ଼ିଦେବେ । ରାଜ୍ୟରେ ଏବେ ୪୦ ପ୍ରତିଶତ ଜମି ଚାଷ ଉପଯୋଗୀ ହୋଇ ପଡ଼ିଆ ପଡ଼ିଛି । ପନିପରିବାଠୁ ଆରମ୍ଭ କରି ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଯଦି ସରକାର ବୃଦ୍ଧି ନ କରନ୍ତି କିମ୍ବା ସେ ନେଇ ଆବଶ୍ୟକ ଚାଷୀଙ୍କୁ ପ୍ରୋତ୍ସାହନ ନ ଦିଅନ୍ତି ତା’ହେଲେ ଆଗାମୀ ୧୦ ବର୍ଷରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବା ସମ୍ଭାବନା ରହିଛି ।
ଚଳିତବର୍ଷ ହାଡ଼ଭଙ୍ଗା ଶୀତ ହେବନି । ସେପଟେ ଫସଲ କମିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ଏଭଳି ସ୍ଥିତିରେ ସବୁ ମହଲରେ ଦାବି ଉଠିଲାଣି ରାଜ୍ୟ ସରକାର ଯଦି ଏବେଠୁ ଆକସ୍ମିକ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ନ ହୁଅନ୍ତି, ତା’ହେଲେ ନେଡି ଗୁଡ଼ କହୁଣୀକୁ ବୋହିଲା ବେଳକୁ ସମ୍ଭାଳି ପାରିବେ ତ ?