ଲାଭ ଦେଉଥିବା ଭୁବନେଶ୍ବର ବିମାନ ବନ୍ଦରକୁ କାହିଁକି ଲିଜ ଦେଉଛ ରାଜ୍ୟବାସୀଙ୍କୁ ଜଣାଅ ?

1 min read

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରକୁ ଘରୋଇକରଣ କରାଯିବ । ଜାତୀୟ ମୁଦ୍ରୀକରଣ ପାଇପ ଲାଇନ୍ ନୀତି ଆଧାରରେ ଆସନ୍ତା ଆର୍ଥିକ ବର୍ଷ ଭିତରେ ୧୩ଟି ଛୋଟବଡ଼ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ ୫୦ ବର୍ଷିଆ ଲିଜ୍ ଆକାରରେ ଟେକି ଦିଆଯିବ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣକୁ ବିଜେଡି ଓ କଂଗ୍ରେସ ପୂର୍ବରୁ ବିରୋଧ କରିଆସୁଛନ୍ତି । ଏବେ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସାଧାରଣ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷଜ୍ଞଙ୍କ ଅଭିଯୋଗ ଲାଭରେ ଚାଲୁଥିବା ବିମାନବନ୍ଦର ଘରୋଇକରଣ ଉଚିତ ନୁହେଁ । କ’ଣ ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଉଛନ୍ତି ସେ ବିଷୟରେ ସାଧାରଣରେ ପ୍ରକାଶ କରିବା ଦରକାର ।

କେନ୍ଦ୍ରକୁ ଘାରିଛି ଘରୋଇକରଣ ନିଶା । ଗୋଟିଏ ପରେ ଗୋଟିଏ ରାଷ୍ଟ୍ରୀୟ ସମ୍ପତ୍ତିକୁ କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କୁ ଟେକି ଦେବାକୁ ଉଦ୍ୟମ ଚାଲିଛି । ଖୁବଶୀଘ୍ର ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ହେବ ଘରୋଇକରଣ । ଏ ନେଇ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ଆରମ୍ଭ କରିଛି ପ୍ରକ୍ରିୟା । ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ ଯୋଜନା ଅନ୍ତର୍ଗତ ୨୦୨୨ରୁ ୨୦୨୫ ଭିତରେ ଦେଶର ଛୋଟବଡ଼ ୨୫ଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଘରୋଇ ସରକାରୀ ସହଭାଗିତା ମୋଡରେ ୫୦ ବର୍ଷିଆ ଲିଜ୍ ସୂତ୍ରରେ ଦେବାକୁ ପୂର୍ବରୁ ନୀତିଗତ ନିଷ୍ପତ୍ତି ନେଇଥିଲେ । ଏଥିରେ ଭୁବନେଶ୍ବର ବିମାନବନ୍ଦର ସାମିଲ ଥିଲା । ଯାହାକୁ ବିଜେଡି ଓ କଂଗ୍ରେସ କଡ଼ା ବିରୋଧ କରିଆସୁଛନ୍ତି ।

ସୂତ୍ରରୁ ଜଣାପଡ଼ିଛି ଏବେ ତୃତୀୟ ପର୍ଯ୍ୟାୟରେ ୧୦ରୁ ଅଧିକ ବିମାନବନ୍ଦର ଘରୋଇକରଣ କରିବା ନେଇ କ୍ୟାବିନେଟ୍ ନୋଟ ପ୍ରସ୍ତୁତ ହେବା ସହ ବିଡିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବୁଦ୍ଧିଜୀବୀ । ଭୁବନେଶ୍ବର ବିମାନବନ୍ଦର ଲାଭ କରୁଥିବାବେଳେ ଏହାକୁ ଘରୋଇ କମ୍ପାନୀ ହାତକୁ ଟେକି ଦେଇ କେନ୍ଦ୍ର ନିଜେ ପରିଚାଳନା କରିବାରେ ଅସମର୍ଥ ବୋଲି ପ୍ରମାଣିତ କରୁଛି ବୋଲି ଅଭିଯୋଗ ହୋଇଛି ।

ବଡ଼ ଆକାରର କେନ୍ଦ୍ର ବଜେଟ୍ ହେଉଛି । କିନ୍ତୁ ଋଣ ଓ ରାଷ୍ଟ୍ରୀୟ ସମ୍ପତ୍ତିରୁ ପୁଞ୍ଜି ପ୍ରତ୍ୟାହାର କରି ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟରେ ଆସେଟ୍ସ ମନିଟାଇଜେସନ୍ ବାବଦରେ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦ ଲକ୍ଷ କୋଟି ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି । ଏହାର ଅର୍ଥ କେନ୍ଦ୍ର ସରକାର ଯେଣତେଣ ପ୍ରକାରେ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ରାଷ୍ଟ୍ରୀୟ ସମ୍ପତ୍ତିକୁ ଲିଜ୍ ସୂତ୍ରରେ ଘରୋଇ ହାତକୁ ଟେକି ଦେଇ ରୟାଲଟି ସଂଗ୍ରହ କରିବେ । ଏହି ଯୋଜନାରେ ବିମାନବନ୍ଦରର ମାଲିକାନା ସରକାରଙ୍କ ପାଖରେ ରହିବ । ଓଡ଼ିଶାବାସୀଙ୍କ କ’ଣ ଲାଭ ହେବ ସେ ସମ୍ପର୍କରେ କେନ୍ଦ୍ର ରାଜ୍ୟବାସୀଙ୍କୁ ଅବଗତ କରିବା ଦରକାର । ଗୋଟିଏ ପଟେ ଭୁବନେଶ୍ବର ବିମାନବନ୍ଦରରେ ତୃତୀୟ ଟର୍ମିନସ୍ ଖୋଲିବାକୁ ବିମାନବନ୍ଦର ପ୍ରାଧିକରଣ ଅଣ୍ଟା ଭିଡ଼ୁଥିବା ବେଳେ ସେହି ସମୟରେ ଲିଜ୍ ଆଉଟ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଆଦୌ ସମୀଚିନ ନୁହେଁ ।

ପୂର୍ବରୁ ବିଜେଡି ସରକାରଙ୍କ ଉଦ୍ୟମରେ ଭୁବନେଶ୍ବର ବିମାନବନ୍ଦରରୁ ବ୍ଯାଙ୍କକ, ଦୁବାଇ, ସିଙ୍ଗାପୁରକୁ ଉଡାଣ ଆରମ୍ଭ ହୋଇଥିଲା । ଉଡ଼ାଣ ଯୋଜନାରେ ରାଜ୍ୟରେ ନୂଆ ନୂଆ ବିମାନବନ୍ଦର ଖୋଲୁଛି । କିଛି ପୁଞ୍ଜିପତିଙ୍କ ସ୍ବାର୍ଥ ପାଇଁ ଓଡ଼ିଶା ସମେତ ପୂର୍ବୋଦୟର ବିକାଶକୁ ବଳି ପକାଇବା ଡବଲ ଇଞ୍ଜିନ ସରକାରଙ୍କ ଏକଚାଟିଆ ନୀତି ବୋଲି ଧରାଯିବ । ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ମୋହନ ସରକାର ଏ ଦିଗରେ ସ୍ବର ଉଠାଇବାକୁ ସବୁ ମହଲରେ ଦାବି ଉଠିଛି ।