ନୂଆପଡ଼ା ଉପନିର୍ବାଚନ : ଆଜି ବାହାରିବ ବିଜ୍ଞପ୍ତି

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପରେ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ ପ୍ରକ୍ରିୟା। ନାମାଙ୍କନ ଦାଖଲର ଶେଷ ଦିନ ହେଉଛି ଆସନ୍ତା ୨୦ ତାରିଖ । ୨୧ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

ନଭେମ୍ବର ୧୧ରେ ହେବ ଭୋଟ । ୧୪ ତାରିଖରେ ଆସିବ ଫଳାଫଳ। ସେପଟେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ପଡ଼ିଛନ୍ତି ନିର୍ବାଚନ ପ୍ରସ୍ତୁତିରେ। ଦିନେ ଦୁଇ ଦିନ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିଏସିର ପୁଣି ଏକ ବୈଠକ ବସିବ । ସେହି ବୈଠକରେ ସ୍ଥିର ହେବ କାହାକୁ କରାଯିବ ପ୍ରାର୍ଥୀ। ବିଜେପି ମଧ୍ୟ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନି । ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳରେ ସାମିଲ କରିଥିଲେ ମଧ୍ୟ ତାଙ୍କୁ ତୃଣମୂଳସ୍ତରରେ ବିରୋଧ କରାଯିବାରୁ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦଳ କହୁଛି ଦିଲ୍ଲୀରୁ ଗ୍ରୀନ ଆସିବା ପରେ ହିଁ ପ୍ରାର୍ଥୀ ଘୋଷଣା ହେବ। କଂଗ୍ରେସ କିନ୍ତୁ ଆଗରୁ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି।