ରାଜ୍ୟ ବାହାରେ ଓଡ଼ିଆଙ୍କ ଦୁଃଖ ବୁଝିଲା ସିଏମଓ

1 min read

ଭୁବନେଶ୍ୱର: ସବୁ ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ରାଜ୍ୟ ଭିତରେ ନୁହେଁ ବରଂ ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ସମସ୍ୟା ସମାଧାନ ହେଉଛି। କୋଲକାତାରେ ଥିବା ଓଡ଼ିଆ ସ୍କୁଲ ଶିକ୍ଷକମାନଙ୍କ ଦରମା ସମସ୍ୟା ନେଇ ଅଭିଯୋଗ ପାଇବାର ମାତ୍ର ୫ ଦିନ ମଧ୍ୟରେ ସମାଧାନ କରିଛନ୍ତି ଫାଇଭ-ଟି ସଚିବ।

କୋଲକାତାରେ ଥିବା ଓଡ଼ିଆମାନଙ୍କ ପିଲାମାନେ ପାଠ ପଢିବା ପାଇଁ ଉତ୍କଳୀୟ ମିଳିତ ମଞ୍ଚର ୧୮ଟି ସଂଗଠନ ଓଡ଼ିଆ ସ୍କୁଲ ପରିଚାଳନା କରୁଛନ୍ତି । ଏହି ସ୍କୁଲରେ ୩୬୦୦ ଓଡ଼ିଆ ଛାତ୍ରଛାତ୍ରୀ ପାଠ ପଢନ୍ତି । ଏଥିପାଇଁ ୮୦ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ୨୦୧୬ ମସିହାରେ ସଂଗଠନର ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକମାନଙ୍କ ଦରମା ୩ହଜାର ଟଙ୍କା ଦେବାକୁ ମଞ୍ଜୁର କରିଥିଲେ । ସେବେଠାରୁ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ଦରମା ପ୍ରଦାନ କରି ଆସୁଥିଲେ । କିନ୍ତୁ ଗତ ବର୍ଷେ ହେଲା କିଛି କାରଣରୁ ଶିକ୍ଷକମାନଙ୍କ ଦରମା ବନ୍ଦ ହୋଇଯାଇଥିଲା ।

ଉତ୍କଳୀୟ ମିଳିତ ମଞ୍ଚ ଏନେଇ ଫାଇଭ-ଟି ସଚିବଙ୍କୁ ଦରଖାସ୍ତ ପ୍ରଦାନ କରିଥିଲେ । ଦରଖାସ୍ତ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୁରନ୍ତ ମଞ୍ଚ ସହ ଆଲୋଚନା କରି ମାତ୍ର ୫ ଦିନ ମଧ୍ୟରେ ବକେୟା ଅର୍ଥ ପ୍ରଦାନ କରିଛନ୍ତି । ଅର୍ଥ ମିଳିବା ପରେ ଉତ୍କଳୀୟ ମଞ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ଦରମା ବୃଦ୍ଧି ନେଇ ସଚିବ ସକାରାତ୍ମକ ଆଲୋଚନା କରିଥିବା ମଞ୍ଚ ସାଧାରଣ ସମ୍ପାଦକ କହିଛନ୍ତି ।