ଦୃଢ଼ ହେଉଛି ବାତ୍ୟା ଆଶଙ୍କା, ଶକ୍ତିଶାଳୀ ପାଇଁ ସୁହାଉଛି ସାମୁଦ୍ରିକ ସ୍ଥିତି

1 min read
Probable Cyclone In Bay Of Bengal In May First Week

ଭୁବନେଶ୍ୱର: ବଙ୍ଗୋପସାଗରରେ ମେ’ମାସରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ବାତ୍ୟା ହେଲେ କେତେ ଶକ୍ତିଶାଳୀ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆକଳନ କରାଯାଇ ନ ଥିଲେ ମଧ୍ୟ ବାତ୍ୟା ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି । ବର୍ତ୍ତମାନର ସାମୁଦ୍ରିକ ସ୍ଥିତି ଓ ଜଳପତନର ତାପମାତ୍ରା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି । ଅପରାହ୍ଣରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଲଘୁଚାପ ସୃଷ୍ଟି ସମ୍ପର୍କରେ ସୂଚନା ଦିଆଯିବା ସହିତ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବା ନେଇ ଆକଳନ କରାଯାଇଛି । ଯାହାକି ବାତ୍ୟା ଆଶଙ୍କାକୁ ସୁଦୃଢ଼ କରିଛି । ସମାନ ଭାବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ବାତ୍ୟା ଆଶଙ୍କାରେ ଏକମତ ହୋଇଛନ୍ତି ଓ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି ବୋଲି ଆକଳନ କରିଛନ୍ତି ।

 Probable Cyclone In Bay Of Bengal In May First Week

ଗୁରୁବାର ବିଭିନ୍ନ ବିଦେଶୀ ମଡେଲ୍‍ ସହିତ ଆଇଏମଡି ଜିଏଫ୍‍ଏସ୍‍ ବାତ୍ୟା ସୃଷ୍ଟି ନେଇ ଆକଳନ କରିଥିଲେ । ଏହା ସହିତ ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବାତ୍ୟା ସମ୍ପର୍କରେ ଆଭାସ ମିଳିଥିଲା । ହେଲେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଲଘୁଚାପ ହେବା ନେଇ ଆଇଏମଡି ସ୍ପଷ୍ଟ କରିବା ପରେ ସମସ୍ତଙ୍କ ନଜର ଏବେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ରହିଛି । ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଛି ଯେ ଆସନ୍ତା ମେ’୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ଲଗାତାର ୪ ବର୍ଷ ହେବ ମେ ମାସରେ ବାତ୍ୟାର ରେକର୍ଡ କରିବ ।

ଗତ ବର୍ଷ ମେ ୨୬ ତାରିଖରେ ବାତ୍ୟା ୟସ ଓଡ଼ିଶାରେ ସ୍ଥଳଭାଗ ଛୁଇଁଥିଲା । ଏହା ପ୍ରଭାବରେ ଉତ୍ତର ଓଡ଼ିଶା ବାଲେଶ୍ୱରଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଯଦିଓ ଏହି ବାତ୍ୟା ପବନର ବେଗ କମ୍‍ ଥିଲା, ମାତ୍ର ପ୍ରବଳ ବର୍ଷା ଓ ସମୁଦ୍ର ଲହଡ଼ି ମାଡ଼ି ଆସିବାରୁ ବ୍ୟାପକ ହାନୀ ଘଟାଇଥିଲା । ସେହିପରି ୨୦୨୦ ମେ’ରେ ଅମ୍ଫାନ ଆସିଥିଲା । କରୋନା ସାଙ୍ଗକୁ ବାତ୍ୟା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କସରତ କରିବାକୁ ପଡ଼ିଥିଲା । ଅମ୍ଫାନ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତି କ୍ରମ କରିଥିଲେ ମଧ୍ୟ, ସମୁଦ୍ର ମଧ୍ୟରେ ଓଡ଼ିଶା ଅତିକ୍ରମ କରିବା ସମୟରେ ଉପକୂଳ ଜିଲ୍ଲାବାସୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଏହା ବ୍ୟତୀତ ମେ’ ମାସରେ ସମୁଦ୍ରପତ୍ତନର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହୁଥିବାରୁ ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହେଉଛି ।

ଅମ୍ଫାନ ହିଁ ଏହାର ଉଦାହରଣ ସାଜିଛି । କାରଣ ୧୯୯୯ ମସିହା ପରେ ଅମ୍ଫାନ ହିଁ ସମୁଦ୍ର ମଧ୍ୟରେ ମହାବାତ୍ୟାର ରୂପ ଧାରଣ କରିଥିବା ବେଳେ ଏହା ସବୁଠାରୁ ଅଧିକ କ୍ଷତିକାରୀ ବାତ୍ୟା ଭାବେ ରେକର୍ଡ କରିଛି । ସେହିପରି ୨୦୧୯ରେ ଆସିଥିବା ଫନି ପୁରୀରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଉପକୂଳ ଓଡ଼ିଶା ସମେତ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଆଦିରେ ବିଧ୍ୱଂସ ରଚିଥିଲା। ଫନିରେ ଭୁବନେଶ୍ୱରରେ ପବନର ବେଗ ୨୦୦ କିମି ଛୁଇଁଥିବା ବେଳେ ଏହାଦ୍ୱାରା ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

ସୂଚନା ଥାଉ କି ମେ’ମାସ ୬ ତାରିଖ ମଧ୍ୟରେ ଆଣ୍ଡାମାନସାଗରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହା ଅଧିକ ଶକ୍ତିଶାଳୀ ହେବ । ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ପ୍ରାଥମିକ ସ୍ତରରେ ଅଧିକାଂଶ ମଡେଲ୍‍ ଏହି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଉଥିବା ବେଳେ ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହେବ । ଅଧିକାଂଶ ମଡେଲ୍‍ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କାରେ ସ୍ଥିର ହୋଇ ରହୁଥିବା ଜଣାପଡ଼ିଛି । ଯାହାପରେ ବିଦେଶୀ ସଂସ୍ଥା ସମେତ ଭାରତୀୟ ପାଣିପଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥାମାନେ ମଧ୍ୟ ଗତିବିଧି ଉପରେ ନଜର ରଖିଛନ୍ତି ।