ନେପାଳରେ ପୁଣି ଜୋର ଧରିଲା ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ପୁଣି ଜୋର ଧରିଲା ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ । ସେପଟେ ଦେଶରେ ଅସ୍ଥିରତା ରୋକିବା ଲାଗି ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଉପରେ ରୋକ ଲଗାଇଛନ୍ତି ସରକାର । ଜୁନ ୨ରୁ ଦୁଇ ମାସ ଲାଗି ଏହି କଟକଣା କାଠମାଣ୍ଡୁରେ ଲାଗୁ କରାଯାଇଛି । ଧାରଣା, ଅନଶନ, ପ୍ରତିବାଦ, ସାଧାରଣ ସଭା ଆଦିକୁ ନିଷିଦ୍ଧ କରାଯାଇଛି । ପୂର୍ବତନ ଗୃହମନ୍ତ୍ରୀ କମଲ ଥାପାଙ୍କ ନେତୃତ୍ବରେ କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଥିଲା । ଗତ ରବିବାର ଆନ୍ଦୋଳନକୁ ନେଇ କମଲ ଥାପାଙ୍କ ସମେତ ବହୁ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିଲା । ଗତ ଶୁକ୍ରବାରଠାରୁ ଆନ୍ଦୋଳନ ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଏହାକୁ ମାନିନଥିଲେ । ନେପାଳରେ ରାଜତନ୍ତ୍ର ପ୍ରତିଷ୍ଠା କରିବା ସହ ଏହାକୁ ଏକ ହିନ୍ଦୁରାଷ୍ଟ୍ର ବୋଲି ଘୋଷଣା କରିବା ଲାଗି ଦାବି ହେଉଛି ।
ରବିବାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାଲୁବତର ଅଭିମୁଖେ ବି ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ବା ଆରପିପି ନେତା ରାଜେନ୍ଦ୍ର ଲିଙ୍ଗଦେନଙ୍କ ନେତୃତ୍ବରେ ଆନ୍ଦୋଳନକାରୀ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗତ ମେ ୨୯ରୁ ନେପାଳରେ ପୁଣି ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଜୋର ଧରିଥିଲା । ଆନ୍ଦୋଳନକାରୀମାନେ ପୂର୍ବତନ ରାଜା ଜ୍ଞାନେନ୍ଦ୍ରଙ୍କ ଫଟୋ ଧରିଥିବାବେଳେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ୨୦୦୮ରେ ଦେଶରେ୨୪୦ ବର୍ଷର ରାଜତନ୍ତ୍ରର ଅନ୍ତ ଘଟିଥିଲା । ପୂର୍ବତନ ହିନ୍ଦୁ ରାଷ୍ଟ୍ରକୁ ଏକ ଧର୍ମନିରପେକ୍ଷ, ସଂଘୀୟ ଓ ସାଧାରଣ ପ୍ରଜାତନ୍ତ୍ର ଭାବେ ମାନ୍ୟତା ଦିଆଯାଇଥିଲା ।