ମିଳୁନି ମୃତ ମହିଳାଙ୍କ ମୁଣ୍ଡ, ପରିଚୟ ଦେଲେ ୫୦ ହଜାର ପୁରସ୍କାର

ଭୁବନେଶ୍ୱର: ରହସ୍ୟ ଘେରରେ ଚନ୍ଦକା ହତ୍ୟାକାଣ୍ଡ । ଏବେବି ଅନ୍ଧାରୁଆ ଘଟଣାରେ ଅନ୍ଧାରରେ ବାଡି ବୁଲାଉଛି କମିସନରେଟ ପୋଲିସ । ମୁଣ୍ଡ ବିହୀନ ମୃତ ମହିଳାଙ୍କ ପରିଚୟ ପାଇବାକୁ ଜିର ରହିଛି ସରଜମିନ ଖୋଲତାଡ । ସେପଟେ ମୃତ ମହିଳାଙ୍କ ପରିଚୟ ପାଇବାକୁ ପୁରସ୍କାର ରାଶି ଘୋଷଣା କରିଛି କମିସନରେଟ ପୋଲିସ । ଯେଉଁ ବ୍ୟକ୍ତି ମୃତକଙ୍କ ସଂପର୍କରେ ସୂଚନା ଦେବେ ଅର୍ଥାତ ପରିଚୟ ପ୍ରଦାନ କରିବେ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥ ପୁରସ୍କୃତ କରାଯିବ ବୋଲି କମିସନରେଟ ପୋଲିସ ଘୋଷଣା କରିଛି ।

ଫେବୃଆରୀ ୪ ତାରିଖରେ ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତ ଶରୀର ଉଦ୍ଧାର କରିଥିଲା ପୋଲିସ । କେହି ମହିଳାଙ୍କୁ ହତ୍ୟା କରି ଉକ୍ତ ସ୍ଥାନରେ ଫୋପାଡ଼ି ଦେଇଥିବା ସନ୍ଦେହ କରିଛି ପୋଲିସ । ମହିଳା ଜଣଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଦତନ୍ତ ଜାରି ରଖିଛି ପୋଲିସ । ପ୍ରାଥମିକ ରିପୋର୍ଟରେ ମହିଳାଙ୍କୁ ହତ୍ୟା କରାଯିବା ପରେ, ତଣ୍ଟି କଟାଯାଇଥିବା ଉଲ୍ଲେଖ ଥିଲା । ହାତ କିମ୍ବା ରଶିରେ ତଣ୍ଟି ଚିପାଯାଇଥିବା ଅନୁମାନ କରିଛି ପୋଲିସ ।

ସେପଟେ ମହିଳାଙ୍କ ପରିଚୟ ମିଳିନଥିବାରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ଚନ୍ଦକା ପୋଲିସ । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଛି ଚନ୍ଦକା ଥାନା ପୋଲିସ । ହିନ୍ଦୀ ଓ ଓଡ଼ିଆ ଭାଷାରେ ତିଆରି ହୋଇଛି ପୋଷ୍ଟର । ଭୁବନେଶ୍ୱର ରେଲୱେ ଷ୍ଟେସନ, ଏୟାରପୋର୍ଟ ଓ ବିଭିନ୍ନ ବସ୍ତିରେ ପୋଷ୍ଟର ଲଗାଇଛି ପୋଲିସ । ପୋଷ୍ଟରରେ ୩୦ ବର୍ଷୀୟ ମହିଳାଙ୍କ ଉଚ୍ଚତା ୫ଫୁଟ୍ ୩ ଇଞ୍ଚ ଥିବା ଉଲ୍ଲେଖ ଥିବା ବେଳେ ୨ଟି ନମ୍ବର ଜାରି କରାଯାଇଛି । ମହିଲାଙ୍କ ବିଷୟରେ ସୂଚନା ଦେଲେ ପୁରଷ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ ପୋଷ୍ଟରରେ ଲେଖା ରହିଛି ।

Leave a Reply