ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ପ୍ରିୟଙ୍କାଙ୍କୁ ପୋଲିସର ଘନ ଘନ ଜେରା

1 min read

ପୁରୀ: ପୁରୀର ପ୍ରିୟଙ୍କା ସେନାପତିଙ୍କୁ ପୋଲିସର ଘନ ଘନ ଜେରା । ISI ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଲିଙ୍କ୍ ରେ ପ୍ରିୟଙ୍କାଙ୍କୁ ଘନ ଘନ ଜେରା କରାଯାଉଛି ।
ଜ୍ୟୋତିଙ୍କୁ କେମିତି ଜାଣିଲେ, କେମିତି ତାଙ୍କ ସହିତ ସଂପର୍କ ସ୍ଥାପିତ ହୋଇଥିଲା, ପୁରୀ ଆସିଥିବା ବେଳେ କେଉଁ କେଉଁ ଅଞ୍ଚଳ ବୁଲିଥିଲେ ଜ୍ୟୋତି, ପ୍ରିୟଙ୍କା ତାଙ୍କୁ କିଛି ତଥ୍ୟ ପ୍ରଦାନ କରିଛନ୍ତି କି, ଜ୍ୟୋତିଙ୍କ ଗତିବିଧି ସନ୍ଦେହଜନକ ଥିଲା କି, ଗୁପ୍ତଚର ପରି ସନ୍ଦେହଜନକ କାମ କରିଥିଲେ କି ଜ୍ୟୋତି, ପ୍ରିୟଙ୍କା ପାକିସ୍ତାନ ଯାଇଥିଲେ କି – ପାକିସ୍ତାନର କୌଣସି ଲୋକଙ୍କୁ ଭେଟିଥିଲେ କି, ଏପରି ଅନେକ ପ୍ରଶ୍ନ ପ୍ରିୟଙ୍କାଙ୍କୁ ପଚରା ଯାଇଥିବା ଜଣାପଡ଼ିଛି ।

ପ୍ରିୟଙ୍କାଙ୍କଠାରୁ ଜ୍ୟୋତିଙ୍କ ସଂପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରୁଛି ପୁରୀ ପୋଲିସ। ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ମଲହୋତ୍ରା ପୁରୀ ଆସିଥିଲେ। ପୁରୀର ଚାରିଆଡ଼େ ତାଙ୍କୁ ବୁଲାଇଥିଲେ ପ୍ରିୟଙ୍କା । ସେପଟେ ପ୍ରିୟଙ୍କାଙ୍କ ଇନଷ୍ଟା ଆକାଉଣ୍ଟ ଲକ୍ ହୋଇଛି । ସେ ନିଜେ ଲକ୍ କରିଛନ୍ତି ନା ପୋଲିସ ଲକ୍ କରିଛି ସ୍ପଷ୍ଟ ହୋଇନାହିଁ ।

ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିବା ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ ତନାଘନା ଆରମ୍ଭ କରିଛି  । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ। ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଏପରିକି ପୁରୀରେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ  । ବାନ୍ଧବୀ ପ୍ରିୟଙ୍କା ଜ୍ୟୋତିଙ୍କ ସାଙ୍ଗରେ ପାକିସ୍ତାନ ବୁଲିଛନ୍ତି। ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ପ୍ରିୟଙ୍କା ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ସମ୍ପର୍କରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରିୟଙ୍କା ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା ଅଟନ୍ତି । ତେବେ ଏ ନେଇ ପ୍ରିୟଙ୍କାଙ୍କ ବାପା କହିଛନ୍ତି, ମୋ ଝିଅ କେବଳ ଅନଲାଇନରେ ସାଙ୍ଗ ହୋଇଛି ଏବଂ ଆମେ ଏସମସ୍ତ ଘଟଣାରେ ପୋଲିସକୁ ତଦନ୍ତରେ ସହଯୋଗ କରିବୁ ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ବାପା ରାଜ କିଶୋର ସେନାପତି । ସେହିପରି ଜ୍ୟୋତିଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି । ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନଥିଲି। ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସି ନଥାନ୍ତି ।