ୱାଇନାଡ ବିଜୟ ପରେ ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା
ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲୋକସଭା ସାଂସଦ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ସଦନର ସଦସ୍ୟତା ପାଇଁ ସେ ଶପଥ ନେଇଛନ୍ତି । ଏହି ସମୟରେ ତାଙ୍କ ହାତରେ ସମ୍ବିଧାନର ଲାଲ ବହି ଦେଖିବାକୁ ମିଳିଥିଲା । ତାଙ୍କର ଏହି ହାବଭାବରୁ ସ୍ପଷ୍ଟ ହୋଇଗଲା ଯେ ସେ ଲୋକସଭାରେ ଭାଇ ରାହୁଲ ଗାନ୍ଧୀଙ୍କ ଭଳି ନିଜ ଭୁମିକା ଗ୍ରହଣ କରିବେ । କେରଳର ୱାଇନାଡ ଉପନିର୍ବାଚନରେ ବାଜିମାତ୍ କରିଥିଲେ ପ୍ରିୟଙ୍କା । ଏହି ଆସନରୁ ବାଇ ରାହୁଲ ନିର୍ବାଚନ ଜିତିଥିଲେ । କିନ୍ତୁ ରାହୁଲ ଦୁଇଟି ଆସନରୁ ବିଜୟ ଲାଭ କରିଥିବାରୁ ରାହୁଲ ଗାନ୍ଧୀ ଏହି ଆସନ ଛାଡି ଦେଇଥିଲେ । ଯାହା ପରେ ଏଠାରେ ଉପନିର୍ବାଚନରେ ପ୍ରିୟଙ୍କା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।
ପ୍ରିୟଙ୍କା ଦୀର୍ଘ ସମୟରୁ କଂଗ୍ରେସର ଷ୍ଟାର ପ୍ରଚାରକ ଓ ମହାସଚିବ ରହିଆସିଛନ୍ତି । କିନ୍ତୁ ନିର୍ବାଚନକୁ ଓହ୍ଲାଇବା ସହ ଏବେ ସେ ରାଜନୀତିକୁ ଓହ୍ଲାଇଛନ୍ତି । କଂଗ୍ରେସର ରଣନୀତିର ଟିମ୍ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ପ୍ରିୟଙ୍କା । ସଂସଦରେ ତାଙ୍କ ଏଣ୍ଟ୍ରି ଯୋଗୁଁ ବିରୋଧୀ ଦଳ ସଶକ୍ତ ହେବା ନେଇ ଆଶା କରାଯାଉଛି । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି ଓ ଇଣ୍ଡି ମେଣ୍ଟ ସମ୍ବିଧାନ ବିପଦକୁ ପ୍ରସଙ୍ଗ କରିଛି । ଲୋକସଭା ନିର୍ବାଚନରେ କିଛି ଅଂଶରେ ଏହା ବିରୋଧୀଙ୍କୁ ଫାଇଦା ଦେଇଛି ।
ଶପଥ ନେବାର କିଛି ସମୟ ପରେ ନିଜ ଆସନକୁ ଯିବା ପୂର୍ବରୁ ଭାଇ ରାହୁଲ ଗାନ୍ଧୀଙ୍କୁ ନମସ୍କାର ଜଣାଇଛନ୍ତି ପ୍ରିୟଙ୍କା । ଏହାପରେ ଭାଇ ଭଉଣୀ ଉଭୟଙ୍କୁ ହାତ ଯୋଡି ଅଭିବାଦନ ଜଣାଇଛନ୍ତି । ପ୍ରିୟଙ୍କାଙ୍କ ସହ କଂଗ୍ରେସର ଆଉ ଜଣେ ସାଂସଦ ରବିନ୍ଦ୍ର ଚୌହ୍ବାନ ବି ଶପଥ ନେଇଛନ୍ତି । ମହାରାଷ୍ଟ୍ରର ନାନ୍ଦେଡ ସିଟ୍ ଉପନିର୍ବାଚନରେ ବିଜୟ ହୋଇଥିଲେ ରବିନ୍ଦ୍ର ।