ସଂସଦ ଟିଭି ଆଙ୍କର ପଦରୁ ପ୍ରିୟଙ୍କାଙ୍କ ଇସ୍ତଫା

ନୂଆଦିଲ୍ଲୀ: ସଂସଦ ନିଲମ୍ବନ ପ୍ରସଙ୍ଗ ଧିରେ ଧିରେ ଘନେଇବାରେ ଲାଗିଛି । ନିଲମ୍ବିତ ୧୨ ସଦସ୍ୟ ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ଏମିତି ସ୍ଥିତିରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିର ଆଙ୍କର ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭା ସଭାପତି ଭେଙ୍କୟା ନାଉଡୁଙ୍କ ପାଖକୁ ଚିଠି ପଠାଇ ଦେଇଛନ୍ତି । ନିଲମ୍ବିତ ୧୨ ସଂସଦଙ୍କ ମଧ୍ୟରେ ପ୍ରିୟଙ୍କା ମଧ୍ୟ ଅଛନ୍ତି ।

ପ୍ରିୟଙ୍କା ତାଙ୍କ ଚିଠିରେ ଲେଖିଛନ୍ତି, ବହୁତ ଦୁଃଖର ସହ କହିବାକୁ ପଡୁଛି, ମୁଁ ସଂସଦ ଟିଭିର ‘ମେରୀ କାହାନୀ’ ଶୋ’ର ଆଙ୍କର ପଦରୁ ଇସ୍ତଫା ଦେଉଛି । ମୁଁ ଏମିତି ସ୍ଥାନରେ କୌଣସି ପଦରେ କରିବାକୁ ଚାହିଁନାହିଁ ଯେଉଁଠି ମୋ ପ୍ରାଥମିକ ଅଧିକାରକୁ ଛଡ଼ାଇ ନିଆଯାଇଛି । ଏଠାରେ ଆମ ୧୨ ଜଣ ସାଂସଦଙ୍କୁ ମନମୁଖୀ ଭାବେ ନିଲମ୍ବନ କରାଯାଇଛି । ଏଥିପାଇଁ ଏହି ଶୋ’ରୁ ଦୂରେଇ ଯାଉଛି ।

ସେ ଆହୁରି କହିଛନ୍ତି, ‘ଏହି ନିଲମ୍ବନ କାରଣରୁ ସଂସଦରେ ମୋ ଛବି ଖରାପ ହୋଇଛି । ମୋତେ ଲାଗୁଛି, ଆମ ପ୍ରତି ଅନ୍ୟାୟ ହୋଇଛି । ଯଦି ସଭାପତିଙ୍କ ଦୃଷ୍ଟିରେ ଏହା ଠିକ, ତେବେ ଏହାକୁ ସମ୍ମାନ ଦେବାକୁ ପଡ଼ିବ ।’

ସୂଚନାଯୋଗ୍ୟ, ଗତ ଅଧିବେଶନ ସମୟରେ ହୋହାଲ୍ଲା କରିବା ଓ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ୧୨ ବିରୋଧୀ ସାଂସଦଙ୍କୁ ଶୀତକାଳିନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ସେତେବେଳେ ଏହା ଲୋକତନ୍ତ୍ର ଓ ଗୃହ ନିୟମର ଉଲ୍ଲଂଘନ ବୋଲି ନିଲମ୍ବିତ ସାଂସଦମାନେ ଅଭିଯୋଗ କରିଥିଲେ । ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସରୁ ୬, ଟିଏମସି ଓ ଶିବସେନାରୁ ଦୁଇଜଣ ଲେଖାଏଁ ଏବଂ ସିପିଆଇ, ସିପିଆଇ (ଏମ୍)ରୁ ଜଣେ ଲେଖାଏଁ ଅଛନ୍ତି ।

Leave a Reply