ଶିବସେନା ବିଧାୟକଙ୍କ ବିବାଦୀୟ ବୟାନ, ସୁନ୍ଦର ପାଇଁ ପ୍ରିୟଙ୍କାଙ୍କୁ ରାଜ୍ୟସଭା ପଠାଇଛନ୍ତି ଆଦିତ୍ୟ ଠାକରେ

ନୂଆଦିଲ୍ଲୀ: ଶିବସେନାର ବିଧାୟକ ସଞ୍ଜୟ ଶିରସାଟ ଉଦ୍ଧବ ଗୋଷ୍ଠୀ ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି  । ମହିଳା ବିରୋଧୀ ବୟାନ ଦେଇ ଏବେ ହରଡଘଣାରେ ବିଧାୟକ  । ଏକନାଥ ସିନ୍ଦେ ନେତୃତ୍ବରେ ଥିବା ପାର୍ଟିର ବିଧାୟକ ସଞ୍ଜୟ ଦାବି କରିଛନ୍ତି ଯେ ପ୍ରିୟଙ୍କାଙ୍କ ସୁନ୍ଦରତା କାରଣରୁ ଆଦିତ୍ୟ ଠାକରେ ତାଙ୍କୁ ରାଜ୍ୟସଭା ପଠାଇଥିଲେ  ।

ବିଧାୟକଙ୍କ ଏଭଳି ଟିପ୍ପଣୀର ଉତ୍ତର ଦେବାକୁ ଯାଇ ପ୍ରିୟଙ୍କା ଟ୍ବିଟ କରି ‘‘ତାଙ୍କୁ ଧୋକେବାଜ କହିବା ସହ ସେ ନିଜ ଆତ୍ମା ଓ ବିଶ୍ବାସ ବିକ୍ରି କରିଦେଇଛନ୍ତି  । ସେହିପରି ବିଶ୍ବାସଘାତକତା କରିଥିବା କୌଣସି ବ୍ୟକ୍ତିଙ୍କ ଅଧିକାର ନାହିଁ ଯେ ସେ କହିବେ ମୁଁ କେମିତି ଦେଖାଯାଉଛି ଆଉ ଯେଉଁ ପଦବୀରେ ଅଛି ତାହା କେଉଁ କାରଣରୁ  । ଏମିତି କହି ସିରସାଟ ରାଜନୀତି ଓ ମହିଳାଙ୍କ ପ୍ରତି ଥିବା ଅସୁସ୍ଥ ମାନସିକତାର ପରିଚୟ ଦେଇଛନ୍ତି ’’ । ସେପଟେ ଆଦିତ୍ୟ ଠାକରେ ମଧ୍ୟ ବିଧାୟକଙ୍କ ବୟାନକୁ କଡା ନିନ୍ଦା କରିଛନ୍ତି  । ସେ କହିଛନ୍ତି ଏଭଳି ହୀନ ମାନସିକତା ଲୋକେ କିଭଳି ରାଜନୀତିରେ ସକ୍ରିୟ ଅଛନ୍ତି  ।

୨୦୧୯ରେ କଂଗ୍ରେସ ଛାଡି ଉଦ୍ଧବ ଠାକରେଙ୍କ ନେତୃତ୍ବ ଶିବସେନାରେ ଯୋଗ ଦେଇଥିଲେ ପ୍ରିୟଙ୍କା  । ପ୍ରଥମେ ଦଳର ପ୍ରବକ୍ତା ଭାବେ ଦାୟିତ୍ବ ତୁଲାଇବା ପରେ ରାଜ୍ୟସଭା ସାଂସଦ ହୋଇଥିଲେ  । ୨୦୧୨ରେ ଉତ୍ତର ପଶ୍ଚିମ ମୁମ୍ବାଇରୁ ଭାରତୀୟ ଯୁବ କଂଗ୍ରେସର ମହାସଚିବ ହୋଇଥିଲେ ପ୍ରିୟଙ୍କା  ।