ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଣୀ ପ୍ରିୟଦର୍ଶନୀଙ୍କ ଶିବ ତାଣ୍ଡବ, କହିଲେ- ଆଉ ଅଶ୍ଳୀଳ ନୃତ୍ୟ ନୁହେଁ

ଭୁବନେଶ୍ବର: ବଦଳିବେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ । ଆଉ ଯାତ୍ରା ପେଣ୍ଡାଲରେ କରିବେନି ଅଶ୍ଲୀଳ ନୃତ୍ୟ । ସେତିକି ନୁହେଁ ଆଗାମୀ ଦିନରେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବେ । ନିଜେ ରାଣୀ ଏପରି କହିଛନ୍ତି । ବିନ୍ଦୁସାଗରରେ ବୁଡ଼ ପକାଇବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିର ସମ୍ମୁଖରେ ଶିବ ତାଣ୍ଡବ କରିଛନ୍ତି । ଏହାସହ ଅଶ୍ଳୀଳତା ବିରୋଧରେ ଆରମ୍ଭ କରିଥିବା ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଭିନ୍ନ ବିଭିନ୍ନ ଧାମକୁ ଯାଇ ଦର୍ଶନ କରିବା ପରେ ଏବେ ଅଶ୍ଳୀଳତା ବିରୋଧରେ  ବାହାରିଛନ୍ତି ରାଣୀ । ଯାତ୍ରାରେ ଅଶ୍ଳୀଳତାକୁ ସେ ବିରୋଧ କରିବେ ବୋଲି କହିଛନ୍ତି । ବିଭିନ୍ନ ଧାମ ବୁଲିବା ପରେ ସେ ପରିବର୍ତ୍ତନ ହୋଇଥିବା କହିଛନ୍ତି । ଖଣ୍ଡଗିରିରୁ ଡମ୍ବରୁ ଅଭିଯାନ ଆରମ୍ଭ କରି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ନାଗେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ ।  ଅଯୋଧ୍ୟା ସରଜୁ ନଦୀରେ ବୁଡ଼ ପକାଇ ରାମ ଲାଲାଙ୍କୁ ଦର୍ଶନ କରିଥିଲେ । ପରେ କାଶୀ ଯାଇ ଗଙ୍ଗାରେ ବୁଡ଼ ପକାଇ ବିଶ୍ୱନାଥ ମହାଦେବଙ୍କୁ ଦର୍ଶନ କରିଥିଲେ । ଆଜି ପ୍ରଭୁ ଜଗନ୍ନାଥ ଧାମ ସମୁଦ୍ରରେ ବୁଡ଼ ପକାଇ ଥିଲେ । ଏହାପରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ।

ସେ କହିଛନ୍ତି, ଅଶ୍ଳୀଳତା ନାଁରେ ମୋ ଭଳି ଷ୍ଟ୍ରଗଲିଂ କଳାକାରଙ୍କୁ ବଦନାମ କରାଗଲା । ଆଗରୁ ଆଇଟମ ଗାର୍ଲ ଭାବେ ଦେଖୁଥିଲେ ଏବେ ଶିବ ତାଣ୍ଡବ ଦେଖିବେ । ଯେଉଁଠି ଅଶ୍ଳୀଳ ନୃତ୍ୟ ହେବ ସେଇଠି ଡମ୍ବରୁ ଓ ରୁଦ୍ରାକ୍ଷ ଶକ୍ତି ଦେଖାଇବି ବୋଲି ସେ କହିଛନ୍ତି ।