ସ୍କୁଲ ଫି’ ପାଇଁ ପିଲାଙ୍କୁ ଲାଇବ୍ରେରି ରୁମରେ ବନ୍ଦ କଲା ଘରୋଇ ସ୍କୁଲ

ଭୁବନେଶ୍ୱର : ଘରୋଇ ସ୍କୁଲଙ୍କ ଦାଦାଗିରୀର ଏକ ନମୂନା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଶିକ୍ଷାକୁ କେମିତି ବ୍ୟବସାୟରେ ପରିଣତ କରାଯାଇଛି ଓ ବିଦ୍ୟା ମନ୍ଦିର ସବୁ କେମିତି ରିକଭରି ଏଜେଣ୍ଟଙ୍କ ଭଳି କାମ କରୁଛନ୍ତି ତାହା ଦେଖିବାକୁ ମିଳିଛି ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ । ଘାଟିକିଆ ନାକା ଗେଟ୍ ନିକଟରେ ଅବସ୍ଥିତ ଥିବା ଏକ ଘରୋଇ ସ୍କୁଲରେ ମଙ୍ଗଳବାର ଦିନ ଫି’ ଆଦାୟକୁ ନେଇ ଯେଉଁଭଳି କାଣ୍ଡକାରଖନା ହୋଇଛି ତାହା ଯେତିକି ଲଜ୍ଜାଜନକ ସେତିକି ସାଂଘାତିକ । ସୂଚନା ଅନୁସାରେ ବକେୟା ଫି’ ଆଦାୟ ପାଇଁ ସ୍କୁଲ କର୍ତ୍ତୁପକ୍ଷ କିଛି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ଅଲଗା ବନ୍ଦ କରି ରଖିଥିଲେ ।ଏଭଳି ଅଭିଯୋଗ ଆଣିଛନ୍ତି ଅଟକ ଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ କରୁଥିବା ବେଳେ ସ୍କୁଲର ପ୍ରଶାସକକୁ ପୋଲିସ ଥାନାରେ ପଚରା ଉଚରା ପାଇଁ ଅଟକ ରଖିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ମଙ୍ଗଳବାର ଦିନ ସ୍କୁଲ କର୍ତ୍ତୁପକ୍ଷ କିଛି ବିଦ୍ୟାର୍ଥୀଙ୍କୁ ବକେୟା ଫି’ ଦେଇ ନଥିବାରୁ ଲାଇବ୍ରେରିରେ ଅଟକ ରଖିଥିଲେ । ଦୀର୍ଘ ୫ ଘଣ୍ଟା ଧରି ଏହି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରିରେ ବନ୍ଦ ରଖାଯାଇଥିଲା । ଅଟକ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାବକୁ ଫି’ ଦେବାକୁ କହିବା ପାଇଁ  ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଘଟଣ ସମ୍ପର୍କରେ ଖବର ପାଇଁ ବିଦ୍ୟାର୍ଥୀଙ୍କ ଅଭିଭାବକ ସ୍କୁଲ ଆଗରେ ଜମା ହୋଇଥିଲେ । ସେମାନେ ସ୍କୁଲ ସାମ୍ନାରେ ଧାରଣାରେ ବସିଥିଲେ ।

ଅଭିଭାବକଙ୍କ ଅନୁସାରେ କୋଭିଡ୍ ପରେ ହଠାତ ସ୍କୁଲ ଫି’ ବଢାଇ ଦିଆଯାଇଥିଲା ।ଏନେଇ ଅଭିଭାବକ ଆପତ୍ତି କରିବା ପରେ ସ୍କୁଲ ତରଫରୁ କୌଣସି ଉତ୍ତର ଦିଆଯାଇନଥିଲା । ଛାତ୍ରଛାତ୍ରୀଙ୍କୁ ଅଟକ ରଖା ଯାଇଥିବା ଖବର ପାଇବା ପରେ ଭରତପୁର ଥାନା ପୋଲିସ ସ୍କୁଲରେ ପହଂଚିଥିଲା । ସ୍କୁଲ ଆଡମିନଙ୍କୁ ଥାନାରେ ପଚରା ଉଚରା କରାଯାଉଥିବା ଜଣା ପଡ଼ିଛି ।