ପୃଥ୍ବୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରୁନାହାନ୍ତି: ବିଜେଡି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଲା ବିଜେଡି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି ଯେ, ଜୀବନରେ ଓ୍ବାର୍ଡ ମେମ୍ବରଟିଏ ମଧ୍ଯ ହୋଇ ପାରିନଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରୁନାହାନ୍ତି । କୌଣସି ବିଷୟରେ ନଜାଣିଥିଲେ ବି ଯାହା ମନକୁ ଆସିଲା ତାହା ଗପି ଚାଲନ୍ତି । ଓଡ଼ିଶାବାସୀ ତାଙ୍କର ଏଭଳି ସ୍ବଭାବ ବିଷୟରେ ଭଲଭାବରେ ଅବଗତ ଅଛନ୍ତି । ପୃଥ୍ବୀରାଜଙ୍କ ଭଳି ଓଡ଼ିଶାର ବିଜେପି ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି । ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି । ମହାପ୍ରଭୁଙ୍କ ନାଁରେ ମିଛ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ତାଙ୍କ ନିକଟରେ କିଛି ତଥ୍ୟ ରହିଛି ତେବେ ଏହା ବିରୋଧରେ ସେ ହାଇକୋର୍ଟକୁ ଯାଇନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ମହାପ୍ରଭୁ ବିଷୟରେ ଏପରି ମିଥ୍ୟା କହିବାଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀ ତାଙ୍କୁ କେବେ କ୍ଷମା କରିବେ ନାହିଁ ।