ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେଲା ‘ପୃଥ୍ୱୀ-2’

1 min read

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚ ପ୍ୟାଡ଼ରୁ ପରୀକ୍ଷା ହେଲା ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପୃଥ୍ୱୀ-2’ । ସଂନ୍ଧ୍ୟା ୭ଟା ୪୫ ମିନିଟରେ ଏହି ମିସାଇଲ ୫ମ ଥର ପାଇଁ ରାତ୍ରି କାଳୀନ ବ୍ୟବହାରିକ ପରୀକ୍ଷା କରାଯାଇଛି । ପୃଥ୍ବୀ-୨ ପ୍ରଥମେ ଉତ୍‌କ୍ଷେପଣ ହୋଇଥିବା କ୍ଷେପଣାସ୍ତ୍ର ଟ୍ରାଜେଟୋରିରେ ଗତି କରୁଥିବାବେଳେ, ଦ୍ୱିତୀୟ କ୍ଷେପଣାସ୍ତ୍ର ଗତିପଥ ବାହାରକୁ ଚାଲି ଯାଇଥିଲା । ଫଳରେ ଲକ୍ଷଚ୍ୟୁତ ହୋଇଥିବା ଦ୍ବିତୀୟ ମିସାଇଲକୁ ସେହି ସ୍ଥାନରେ ଧ୍ବଂସ କରି ଦିଆଯାଇଛି ।

ହେଲେ ଏନେଇ ପ୍ରତିରକ୍ଷା ବିଭାଗ କିମ୍ବା ଆଇଟିଆର ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ନଷ୍ଟ ହୋଇଯାଇଥିବା ପୃଥ୍ବୀ-2 କ୍ଷେପଣସ୍ତ୍ର ଧ୍ବଂସାବଶେଷ ସମୁଦ୍ରକୂଳରେ ପଡ଼ିଥିବା କୁହାଯାଉଛି । ତେବେ କ୍ଷେପଣାସ୍ତ୍ର ପରୀକ୍ଷାରୁ ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା 350 କିଲୋମିଟର ରହିଛି । କ୍ଷେପଣାସ୍ତ୍ରରେ 5ଶହ କିଲୋଗ୍ରାମ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ପୃଥ୍ବୀ-2 ମିସାଇଲର ଲମ୍ବ 8.56 ମିଟର, ଓଜନ 4600 କିଲୋଗ୍ରାମ, ମୋଟେଇ 110 ସେଣ୍ଟିମିଟର ଓ ଏଥିରେ ସିଙ୍ଗଲ ଷ୍ଟେଜ୍‌ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଛି । ପୃଥ୍ବୀ-2 କ୍ଷେପଣାସ୍ତ୍ରକୁ 1996 ମସିହା ଜାନୁଆରୀ 27ରେ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲା । ତେବେ ଫୃଥ୍ବୀ-2 ମିସାଇଲକୁ ପ୍ରଥମ ଥର ପାଇଁ 2019 ମସିହା ନଭେମ୍ବର ମାସ 21ରେ ରାତିରେ ପରୀକ୍ଷା କରାଯାଇଥିଲା । ପରବର୍ତ୍ତୀ ସମୟରେ ମୋଟ ଚତୁର୍ଥ ଥର ପରୀକ୍ଷା କରାଯାଇଛି ।

Leave a Reply