ଜନ୍ମଦିନରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ,ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର : ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି । ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଚଳଚଞ୍ଚଳ ରାଜ୍ୟ ପ୍ରଶାସନ। ସଜେଇ ହୋଇଛି ଜନତା ମଇଦାନ । ସହର ସାରା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ବିଶାଳ କାରକେଡ଼ରେ ସିଧା ଗାଡ଼କଣ ଅଭିମୁଖେ ଯାତ୍ରା କରିବେ। ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଗାଡ଼କଣରୁ ଜନତା ମଇଦାନ ଅଭିମୁଖେ ବାହାରି ପ୍ରଧାନମନ୍ତ୍ରୀ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହିତ ହିତାଧିକାରୀଙ୍କୁ ଖାତାକୁ ଡ଼ିବିଟି ମାଧ୍ୟମରେ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିବେ । କମିଶନରେଟ ପୋଲିସ ପକ୍ଷରୁ ଏସପିଜିଙ୍କ ଉପସ୍ଥିତିରେ ସୋମବାର କାରକେଡ଼ ରିହରସେଲ କରାଯାଇଛି ।

ଜନତା ମଇଦାନରେ ବିଶାଳ କାର୍ଯ୍ୟକ୍ରମ ପାଇଁ ସରକାରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହିଳା ଶିଶୁ ବିକାଶ ବିଭାଗ ସହିତ ପୂର୍ତ୍ତ ବିଭାଗ, ଇଡ଼କଲ, ଶକ୍ତି ବିଭାଗର ଅଧିକାରୀଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସବୁ ପ୍ରକାର ପ୍ରସ୍ତୁତି ସାରିଛନ୍ତି । ଜନତା ମଇଦାନରେ ପ୍ରାୟ ୪୦ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି । ଏହା ବାଦ୍ ମଇଦାନ ବାହାରେ ଏବଂ ସହରର ବିଭିନ୍ନ ଜାଗାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ହଜାର ହଜାର ମହିଳା ଏକାଠି ହେବେ । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ସୁଭଦ୍ରା ଯୋଜନା ସହ ଆବାସ ଯୋଜନା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ପ୍ରଧାନମନ୍ତ୍ରୀ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ନବ ନିର୍ମିତ ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ବିମାନବନ୍ଦର, ଜନତା ମଇଦାନ ଓ ଗାଡ଼କଣ କାର୍ଯ୍ୟକ୍ରମ ପାଇଁ ୩ ଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଭାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।