ସରପଞ୍ଚଙ୍କ ସହ ଆଲୋଚନା କଲେ ମୋଦି, କହିଲେ ୧୦ ବଡ଼ କଥା

1 min read
Prime Minister Narendra modi interacton with sarpanchs on national panchayati raj day.

ନୂଆଦିଲ୍ଲୀ: ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ଭିଡିଓ କନ୍‌ଫେରନ୍ସିଂ ମାଧ୍ୟମରେ ଦେଶର ସରପଞ୍ଚଙ୍କ ସହ କୋରୋନା ଭାଇରସ୍‌ ସମ୍ବନ୍ଧରେ ଆଲୋଚନା କରିଛନ୍ତି । କୋରୋନା ଭାଇରସ୍‌ର ମୁକାବିଲା କିଭଳି କରାଯାଇପାରିବ ସେନେଇ ସରପଞ୍ଚଙ୍କ ସହ ବିଶେଷ ଭାବେ ଆଲୋଚନା କରିଛନ୍ତି । ଏହା ସହ ଗାଁରେ କୋରୋନା ଭାଇରସ୍‌କୁ ଯେପରି ପ୍ରବେଶ କରାଇ ଦିଆନଯାଏ ସେନେଇ ସରପଞ୍ଚମାନଙ୍କୁ ସତର୍କ କରାଇଛନ୍ତି ମୋଦି । ସେ କହିଛନ୍ତି ପଞ୍ଚାୟତ ଯେତେ ସୁସ୍ଥ ରହିବ ଦେଶ ସେତେ ବିକାଶ ହେବ । ଏହି ସମୟରେ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ନେଇ ମଜାକ୍‌ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଜୀବ ଗାନ୍ଧିଙ୍କୁ ନେଇ ମୋଦିଙ୍କ ମଜାକ୍‌

ଗାଁ ସରପଞ୍ଚ ଓ ଗାଁ ମୁଖିଆଙ୍କ ସହ କୋରୋନା ମୁକାବିଲା ନେଇ ମୋଦି ଆଲୋଚନା କରିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଛନ୍ତି । ସାଧାରଣ ଲୋକ କେନ୍ଦ୍ର ଯୋଜନାର କିଭଳି ଲାଭ ପାଉଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି । ଏହା ସହ ରାଜୀବ ଗାନ୍ଧିଙ୍କ ଏକ ଭାଷଣକୁ ତାତ୍ସଲ୍ୟ କରି ମୋଦି କହିଥିଲେ ଯେ, ଏବେ କେନ୍ଦ୍ର ସରକାର ଦେଉଥିବା ଟଙ୍କା ଗରିବଙ୍କ ପାଖରେ ସମ୍ପୂର୍ଣ୍ଣରୁପେ ପହଞ୍ଚୁଛି । ପୂର୍ବଭଳି ବାଟମାରଣା ହେଉନାହିଁ । ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କ ପାଇଁ ଏକ ଟଙ୍କା ଦେଉଥିବା ବେଳେ ୧୫ ପଇସା ପହଞ୍ଚୁଥିଲା ଲୋକଙ୍କ ପାଖରେ । ସୂଚନାଯୋଗ୍ୟ ପୂର୍ବରୁ ରାଜୀବ ଗାନ୍ଧି ନିଜ ଭାଷଣରେ କହିଥିଲେ ଯେ, କେନ୍ଦ୍ରରୁ ୧ ଟଙ୍କା ବାହାରିଲେ ଗରିବଙ୍କ ପାଖରେ ୧୫ ପଇସା ପହଞ୍ଚୁଛି । ଏହାକୁ କଟାକ୍ଷ କରି କହିଛନ୍ତି ମୋଦି ଏବେ ଗରିବଙ୍କ ଟଙ୍କା ବାଟମାରଣା ହେଉନାହିଁ ।

କୋରୋନା ଏକ ବିଚିତ୍ର ଭାଇରସ୍‌

କୋରୋନା ଭାଇରସ୍‌ ଅତ୍ୟନ୍ତ ବିଚିତ୍ର । ସେ ଆପେ ଆପେ କୁଆଡ଼େ ଯାଏ ନାହିଁ । କୋରୋନାକୁ ଡାକିଲେ ଏବଂ ଆଣିବାକୁ ବାହାରକୁ ଗଲେ ହିଁ ସେ ଘରକୁ ଆସିଥାଏ । ଏହି ଭାଇରସ୍‌ ଯେଭଳି ଘରେ ପ୍ରବେଶ ନକରିବ ସେଥିପାଇଁ ଆମକୁ ସତର୍କ ରହିବାକୁ ହେବ । ତେଣୁ ପ୍ରତ୍ୟକ ମଣିଷ ମଧ୍ୟରେ ଦୂରତା ରହିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ମୋଦି ।

ସାରା ଦୁନିଆକୁ ଗାଁ ଦେଲା ଦୂରତାର ମନ୍ତ୍ର

ପ୍ରଧାନମନ୍ତ୍ରୀ କହିଛନ୍ତି ଗାଁ ଗୁଡ଼ିକ ସରକାରଙ୍କଠାରୁ ମଧ୍ୟ ଭଲ ଶିକ୍ଷା ଦେଇଛନ୍ତି । ଗାଁଗୁଡ଼ିକରୁ ଯେଉଁ ଖବର ସଂଗ୍ରହ କରାଯାଉଛି ତାହା ବଡ଼ ବଡ଼ ଲୋକଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ । ଭାରତର ପ୍ରତ୍ୟେକ ଗାଁ ଓ ଗ୍ରାମବାସୀଙ୍କୁ ମୋଦି ନମସ୍କାର ମଧ୍ୟ ଜଣାଇଛନ୍ତି । ସେମାନେ ପୁରା ଦେଶକୁ ଏକ ଭଲ ବାର୍ତ୍ତା ଦେଇଛନ୍ତି ।

ସୀମିତ ସମ୍ବଳରେ କୋରୋନା ସହ ଯୁଦ୍ଧ

ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ପ୍ରତି ଏତେ ବଡ଼ ସଙ୍କଟ ଆସିଛି । ହେଲେ ଏହି ଦୁଇ-ତିନି ମାସ ମଧ୍ୟରେ ଭାରତର ନାଗରିକ ସୀମିତ ସମ୍ବଳରେ ରହିବା ପରିବର୍ତ୍ତେ ଏହା ସହ ମୁହାଁମୁହିଁ ହେଉଛନ୍ତି । କୋରୋନାକୁ ମୁକାବିଲା କରିବା ବେଳେ ଅନେକ ବାଧା ଆସୁଛି, ଅନେକ କଷ୍ଟ ହେଉଛି ହେଲେ ଆମ ଦେଶବାସୀ ସାହସର ସହ ଯୁଦ୍ଧ କରୁଛନ୍ତି ।

ଇ-ଗ୍ରାମ୍‌ ସ୍ୱରାଜ ପୋର୍ଟାଲର ଶୂଭାରରମ୍ଭ

ଆଜି ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ-ଗ୍ରାମ୍‌ ସ୍ୱରାଜ ପୋର୍ଟାଲର ମଧ୍ୟ ଶୂଭାରରମ୍ଭ କରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ଗ୍ରାମ ସ୍ୱରାଜର ପରିଚାଳନା, ପାଣ୍ଠି ଏବଂ ଏହାର ଅଡିଟ୍‌ ମଧ୍ୟ ସହଜରେ କରିହେବ । ଏହି ଆପ୍‌ ଗୁଗୁଲ୍‌ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରିହେବ ।

ସ୍ୱାମୀତ୍ୱ ଯୋଜନା ଶୁଭାରମ୍ଭ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ବ କରିଛନ୍ତି । ଏହି ସ୍ୱାମୀତ୍ୱ ଆପ୍‌ର ବିଶେଷତ୍ୱ ହେଲା ଗ୍ରାମବାସୀ ଏବେ ମାଲିକ ହେବାର ସୁଯୋଗ ପାଇବେ । ପଞ୍ଚାୟତଗୁଡ଼ିକୁ ଡିଜିଟାଲ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ସ୍ୱାମୀତ୍ୱ ଯୋଜନା ଗାଁର ସମ୍ପତ୍ତିକୁ ନେଇ ଥିବା ସମସ୍ୟା ସମାଧାନର ବାଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପଞ୍ଚାୟତକୁ ଡିଜିଟାଲାଇଜେସନ୍‌

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି । ଗାଁର ଆଧାର ଓ ସରଞ୍ଚନାକୁ ମଜଭୁତ୍‌ କରିବା ପାଇଁ ଗାଁ ଓ ସହର ମଧ୍ୟରେ ଦୂରତା କମାଇବାକୁ କେନ୍ଦ୍ର ସରକାର ଦୁଇଟି ବଡ଼ ନୂଆ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଗ୍ରାମ ସ୍ୱାରଜ ଓ ସ୍ୱାମୀତ୍ୱ । ଏହି ସ୍ୱାମୀତ୍ୱ ଆପ୍‌ର ବିଶେଷତ୍ୱ ହେଲା ଗ୍ରାମବାସୀ ଏବେ ମାଲିକ ହେବାର ଉପାୟ । ପଞ୍ଚାୟତଗୁଡ଼ିକୁ ଡିଜିଟାଲ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହି ଦୁଇଟି ମୋବାଇଲ ଆପ୍‌ ମାଧ୍ୟମରେ ଲୋକଙ୍କ ପାଖରେ ସମ୍ପୂର୍ଣ୍ଣ ତଥ୍ୟ ରହିପାରିବ । ସ୍ୱାମୀତ୍ୱ ଯୋଜନା ଗାଁର ସମ୍ପତ୍ତିକୁ ନେଇ ଥିବା ସମସ୍ୟା ସମାଧାନର ବାଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଆପ୍ ଜରିଆରେ ଡ୍ରୋନ୍‌ ମାଧ୍ୟମରେ ସମ୍ପତ୍ତି ଓ ଜମିର ମାପ କରାଯିବ । ଗାଁ ଲୋକଙ୍କୁ ନିଜ ଜମିର ମାଲିକାନା ପ୍ରମାଣପତ୍ର ଦିଆଯିବ । ସମ୍ପତ୍ତିକୁ ନେଇ ଥିବା ଦ୍ୱନ୍ଦ୍ୱ ଖୁବ୍‌ ଶୀଘ୍ର ସମାଧାନ ହେବ ।

କାମ କରିବାର ଶୖଳୀ ବଦଳିଲା

ଗାଁଗୁଡ଼ିକୁ ସ୍ୱରାଜ ପହଞ୍ଚାଇବା ପାଇଁ ପଞ୍ଚାୟତିରାଜ ଦିବସ ଏକ ସୁବର୍ଣ୍ଣ ସୁଯୋଗ । କୋରୋନା କାରଣରୁ ଏହାର ପ୍ରାସଙ୍ଗିକତା ଏବେ ବଢ଼ିଯାଇଛି । ଏହି ମହାମାରୀ ଅନେକ ନୂଆ ଦିଗ ଦେଖାଇଛି । କୋରୋନା ମହାମାରୀ ଲୋକଙ୍କ କାମ କରିବାର ଶୖଳି ଏବେ ବଦଳାଇଦେଇଛି । ପୂର୍ବରୁ ଲୋକମାନେ ଭେଟ ହୋଇ କଥାବାର୍ତ୍ତା ହେଉଥିଲେ । କିନ୍ତୁ ଏବେ ଭିଡିଓ କଲ୍‌ ମାଧ୍ୟମରେ କଥାବାର୍ତ୍ତା ହେଉଛନ୍ତି ।

କୋରୋନାର ସନ୍ଦେଶ, ଆତ୍ମ ନିର୍ଭରଶୀଳ ହୁଅ

କୋରୋନା ମହାମାରୀ ଏକ ବଡ଼ ସନ୍ଦେଶ ଦେଇଛି । ଆଉ ସେହି ରାସ୍ତାରେ ଚାଲିବା ମଧ୍ୟ ଶିଖାଇ ଦେଇଛି । କୋରୋନା ଆମକୁ ଆତ୍ମ ନିର୍ଭରଶୀଳ ହେବା ଶିଖାଇ ଦେଇଛି । ଆତ୍ମ ନିର୍ଭରଶୀଳ ନହେଲେ କୋରୋନା ସହ ମୁକାବିଲା ମଧ୍ୟ ଅତ୍ୟନ୍ତ କଠିନ ବୋଲି କହିଛନ୍ତି ମୋଦି । ଗାଁଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଏବଂ ପୁରା ଜାତୀୟ ସ୍ତରରେ  ପ୍ରତ୍ୟେକ ଲୋକ ଆତ୍ମ ନିର୍ଭର ରହିବା ଆବଶ୍ୟକ ।

 ଗାଁଠାରୁ ଦେଶ ପର୍ଯ୍ୟନ୍ତ ମଜ୍‌ଭୁତ୍ ହେବ  ଲୋକତନ୍ତ୍ର

ଆମ ଦେଶର ଗ୍ରାମପଞ୍ଚାୟତ ଗୁଡ଼ିକର ଭୂମିକା ଏଥିରେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ରହିବ । ପଞ୍ଚାୟତ ମଜ୍‌ଭୁତ୍‌ ହେଲେ ଦେଶ ମଜ୍‌ଭୂତ ହେବ । ମଜ୍‌ଭୁତ୍‌ ପଞ୍ଚାୟତ ଆତ୍ମନିର୍ଭର ଗାଁର ଆଧାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ପଞ୍ଚାୟତ ମଜ୍‌ଭୁତ୍‌ ହେଲେ ଦେଶରେ ଲୋକତନ୍ତ୍ର ମଜ୍‌ଭୁତ୍‌ ହେବ ବୋଲି କହିଛନ୍ତି ମୋଦି ।

Leave a Reply