ନବୀନଙ୍କୁ ଫୋନ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନରେ କଥା ହୋଇ ପଚାରି ବୁଝିଛନ୍ତି ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି । ଏହାସହ କିଛି ଦିନ ପାଇଁ ବିଶ୍ରାମ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଡିହାଇଡ୍ରେସନ ଜନିତ ସମସ୍ୟା ପାଇଁ ରବିବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ନବୀନ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ନବୀନଙ୍କ ଅସୁସ୍ଥତା ଖବର ପାଇ ବହୁ ରାଜନେତା ଓ ରାଜ୍ୟବାସୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସାରେ ନିୟୋଜିତ ଅଛନ୍ତି । ଚିକିତ୍ସା ପରେ ନବୀନ ସୁସ୍ଥ ଥିବା ନେଇ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନବୀନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।