ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ

ଭୁବନେଶ୍ବର : ୩ ଦଫା ଦାବି ନେଇ ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ। ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଉନାହାନ୍ତି ।  ୨୦୧୦ରେ ଶିକ୍ଷା ଅଧିକାର ଅଧିନିୟମ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ସରକାର ତାହାକୁ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ ବିଦ୍ୟାଳୟ ବନ୍ଦ କରିବାକୁ ବସିଛନ୍ତି। ଶିକ୍ଷା ଅଧିକାର ଆଇନ ରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଉଲ୍ଲେଖ ଥିବା ଭିଭିଭୂମିର ବିକାଶ କରୁନାହାନ୍ତି । ଅନ୍ୟପଟେ ନିୟମିତ ଶିକ୍ଷକ ନିଯୁକ୍ତ ନକରି ଚୁକ୍ତି ବା ସ୍କିମ ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରୁଛନ୍ତି । ୨୦୨୨ରେ ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠାଇ ସେମାନଙ୍କର ୬ ବର୍ଷର ଚୁକ୍ତି କାର୍ଯ୍ୟକାଳ କୁ ନୋସନାଲ ଇନକ୍ରିମେଣ୍ଟ ଦେଇ ସେହି କର୍ମଚାରୀ ମାନଙ୍କୁ ନିୟମିତ କରାଯାଇଥିଲା।  ୨୦୦୧ ମସିହାରୁ ନିଯୁକ୍ତପାଇଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ ଉପେକ୍ଷା କରାଗଲା । ତେଣୁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ୩ ଦଫା ଦାବିରେ ଲୋୟର ପିଏମଜିଠାରେ ଚାରି ଦିନ ଧରି ଆନ୍ଦୋଳନ କରିଥିଲେ । ତତ୍କାଳୀନ ବିରୋଧୀ ଦଳର ଉପ ସଚେତକ ଓ ବର୍ତ୍ତମାନର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାକୁ ଅଚଳ କରି ନିଜ ଦଳର ଅନେକ ବିଧାୟକ ମାନଙ୍କୁ ଧରି ଆନ୍ଦୋଳନ ସ୍ଥଳକୁ ଆସିଥିଲେ । ତାଙ୍କ ଦଳ ସରକାରକୁ ଆସିଲେ ପ୍ରାଥମିକ ଶିକ୍ଷାରୁ ଠିକା/ସ୍କିମାଟିକ ନିଯୁକ୍ତି ଉଠିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।  କିନ୍ତୁ ସରକାର ଆସିବାର ୮ ମାସରୁ ଅଧ‌ିକ ସମୟ ବୀତି ଯାଇଥିଲେ ମଧ୍ୟ ସରକାର ପ୍ରାଥମିକ ଶିକ୍ଷକ ମାନଙ୍କର ଦାବୀ ପୂରଣ କରିନାହାନ୍ତି । ତେଣେ ବିଭିନ୍ନ ଦାବିରେ ଆସନ୍ତା ୧୬ ତାରିକରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପିଷ୍ଟା ର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦସାହୁ, କନିଷ୍ଠ ଶିକ୍ଷକ ସଂଘ (ସ୍ପିମାଟିକ)ର ରାଜ୍ୟ ଆବାହକ ଶେଷଦେବ ଯଜ୍ଞକାମ ଦେଓ, ଅଲୋଷ୍ଟା ର ସଭାପତି ବିକ୍ରମ କୁମାର ଦାଶ ପ୍ରମୁଖ ସାମିଲ ଥିଲେ।