ପେଟ୍ରୋଲ, ଡିଜେଲ ପରେ ସେଞ୍ଚୁରୀ ମାରିବାକୁ ଯାଉଛି କିରୋସିନି

ରାଉରକେଲା: ଅନ୍ଧାର ହେବ ଗରିବ ଘର । ଷ୍ଟୋଭରେ ଆଉ ବସିବନି ହାଣ୍ଡି । କାରଣ ସେଞ୍ଚୁରୀ ମାରିବାକୁ ଯାଉଛି କିରୋସିନି ଦର । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ଲୋକଙ୍କ ନିଦ ହଜାଇ ଥିବା ବେଳେ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିରେ ସାମିଲ ହୋଇଛି କିରୋସିନି । ସେଞ୍ଜୁରୀ ମାରିବା ଉପରେ ଗରିବଙ୍କ ପେଟକୁ ଦାନା ଦେବାରେ ନିଜକୁ ଜଳାଉଥିବା କିରୋସିନି । ଦର ପହଁଚିଲାଣି ୯୯ ଟଙ୍କାରେ । କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଦେଖାଇ ଚାଲିଛନ୍ତି ଏମିତି ଅଚ୍ଛେ ଦିନ୍ ।

ଚଳିତମାସରେ କେନ୍ଦ୍ର ସରକାର କିରୋସିନି ଲିଟର ପିଛା ୨୦ ଟଙ୍କା ୯୪ ପଇସା ବୃଦ୍ଧି କରିଛନ୍ତି । ଫଳରେ ଷ୍ଟୋଭରେ ରୋଷେଇ କରୁଥିବା ଗରିବ ଲୋକ ଓ ଉଠା ଦୋକାନୀ ହେଉଛନ୍ତି ଅସୁବିଧାର ସମ୍ମୁଖୀନ । ରାଉରକେଲା ସରକାରୀ ଖୁଚୁରା ଦୋକାନରେ ଜୁନରେ କିରୋସିନି ଲିଟର ପିଛା ୭୮ ଟଙ୍କା ୦୬ ପଇସା ଥିବାବେଳେ ଜୁଲାଇରେ ୯୯ ଟଙ୍କାରେ ପହଞ୍ଚିଛି ।  ଯାହାକୁ ନେଇ ଚିନ୍ତାରେ ଅଭାବୀ ପରିବାର । ସହରରେ ଜୁନରେ ଏକ ଲକ୍ଷ ୨୦ ହଜାର ଲିଟର କିରୋସିନି ଉଠାଯାଇଥିବା ବେଳେ ମୂଲ୍ୟ ବୃଦ୍ଧି ପରେ ଜୁଲାଇରେ ଉଠାଯାଇ ନଥିବା କହିଛି ଯୋଗାଣ ବିଭାଗ । ମୂଲ୍ୟବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ସରକାରୀ ରିଟେଲର ସଂଘ ପକ୍ଷରୁ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଗ୍ୟାସ ମୂଲ୍ୟ ବୃଦ୍ଧି ପରେ ଷ୍ଟୋଭରେ ରୋଷେଇ କରି ଚଳୁଥିଲେ ଗରିବ ପରିବାର । ଚା’ ଦୋକାନୀ ବି କିରୋସିନ ଉପରେ ନିର୍ଭର କରୁଥିଲେ । ହେଲେ ଏବେ କିରୋସିନର ଆକାଶ ଛୁଆଁ ଦର ଯୋଗୁଁ କୋଇଲା ହିଁ ଏକମାତ୍ର ଭରସା । କେନ୍ଦ୍ର ସରକାରଙ୍କ ଏମିତି ଦର ବୃଦ୍ଧିକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ଏହା କ’ଣ କେନ୍ଦ୍ର ସରକାରଙ୍କ ଅଛେ ଦିନ୍ ବୋଲି ପ୍ରଶ୍ନ କରୁଛନ୍ତି ଗରିବ ଖଟିଖିଆ ।

ମୂଲ୍ୟବୃଦ୍ଧି ଯୋଗୁଁ ସରକାରୀ ରିଟେଲ ଦୋକାନରୁ ହିତାଧିକାରୀ କିରୋସିନ ନେଉ ନାହାନ୍ତି । କେନ୍ଦ୍ର ସରକାରଙ୍କ ଏହି ଖାଉଟି ମାରଣ ନୀତି ବିରୋଧରେ ଏକାଠି ହୋଇ ସରକାରୀ ରିଟେଲ ସଂଘ ଅଗଷ୍ଟ ୨ ତାରିଖକୁ ଆନ୍ଦୋଳନ ଡାକରା ଦେଇଛି ।