ମହଙ୍ଗା ମାଡ଼ରେ ବେହାଲ ଖାଉଟି, ହୁ ହୁ ହୋଇ ବଢୁଛି ଆଳୁ-ପିଆଜ ସାଙ୍ଗକୁ ପରିବା ଦର

1 min read

ନନ୍ଦିଘୋଷ ବ୍ୟୁରୋ: ପାଇକାରୀ ଦର କମ୍‌, ଖୁଚୁରା ଦର ଚଢ଼ା । ଖାଉଟି ଅବସ୍ଥା ବେହାଲ । ଏଭଳି ସ୍ଥିତି ଓଡ଼ିଶା ବଜାରରେ । ଆଳୁର ପାଇକାରୀ ଦର ୨୩ ଟଙ୍କା ଥିବାବେଳେ ଗ୍ରାହକ ଖୁଚୁରା ବଜାରରେ କିଣୁଛନ୍ତି ୩୫ ଟଙ୍କାରେ । ସେହିପରି ପିଆଜ କ୍ବିଣ୍ଟାର ପାଇକାରୀ ବଜାରରେ ୩୨ ଟଙ୍କା । ହେଲେ ଖୁଚୁର ବଜାରରେ ଗତ ଦୁଇଦିନ ହେଲାଣି ବିକ୍ରି ହେଉଛି ୪୫ ଟଙ୍କାରେ । ଖାଉଟିଙ୍କୁ ଶୋଷୁଛନ୍ତି ଖୁଚୁରା ବେପାରୀ । ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି ଖୁଚୁରା ବଜାର ଉପରେ ରାଜ୍ୟ ସରକାରଙ୍କ ମାର୍କେଟ ଇଣ୍ଟେଲିଜେନ୍‌ସର ଦାୟିତ୍ବ । ଏହାସହିତ ଦର ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କ ସହ ଆଲୋଚନା କରନ୍ତୁ ବୋଲି ପୁଣି ଥରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ମହାସଂଘ ।

ଆଳୁ କିଲୋ ୩୫ । ପିଆଜ କିଲୋ ୪୫ ରୁ ୫୦ ଟଙ୍କା । କିଣିବ କେତେ ଖାଇବ କେତେ ? ମେ ଓ ଜୁନ୍‌ରେ ପନିପରିବା ଅମଳ କମ୍‌ ଥିଲେ ବି ଆଳୁ ଓ ପିଆଜ ଲୋକଙ୍କ ଅତ୍ୟାବଶ୍ୟକ ଖାଦ୍ୟ ଚାହିଦା ପୂରଣ କରିଥାଏ । ହେଲେ ଓଡ଼ିଶା ବଜାର ଏବେ କର୍ପୋରେଟ୍‌ ଓ ଅସାଧୁ ଖୁଚୁରା ବ୍ୟବସାୟୀଙ୍କ କବଳରେ । ବାସ୍ତବ ସ୍ଥିତି କିଛି ଏପରି । ଆଳୁ କ୍ବିଣ୍ଟାଲ ପିଛା ପାଇକାରୀ ବଜାରରେ ୨୩ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଖୁଚୁରା ବଜାରରେ କିଲୋ କାହିଁକି ୩୫ ଟଙ୍କାରେ ବିକ୍ରି ହେଉଛି ? ସେହିପରି ପିଆଜ କ୍ବିଣ୍ଟାଲ ପାଇକାରୀ ବଜାରରେ ୩୨ଶହ ଟଙ୍କାରେ ମିଳୁଛି । କ’ଣ ପାଇଁ ପିଆଜ କିଲୋ ଖୁଚୁରା ବଜାରରେ ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଛି ? ଅମଳ କମ୍‌ ଥିଲେ ବି ଏବର ପାଇକରୀ ଦରରେ ଆଳୁ ଓ ପିଆଜ ଖୁଚୁରା ବଜାରରେ ୨୫ ଓ ୩୫ ଟଙ୍କାରେ ମିଳିବା କଥା ।

ଖୁଚୁରା ବଜାରରେ କାହିଁକି ଏତେ ତଫାତ୍‌ ? ଏହାକୁ ରାଜ୍ୟ ସରକାରଙ୍କ ମାର୍କେଟ୍‌ ଇଣ୍ଟେଲିଜେନ୍‌ସ୍‌ ତଦାରଖ କରିବା କଥା । ସେପଟେ ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଓ ରାଜ୍ୟସ୍ତରରେ ଯୋଗାଣ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାକୁ ବ୍ୟବସାୟୀ ମହାସଂଘ ପ୍ରସ୍ତାବ ଦେଇଛି । ସରକାର ଏ ନେଇ ବ୍ୟବସାୟୀ ମହାସଂଘ ସହ ଆଲୋଚନା କରିବାକୁ ପୂର୍ବରୁ ନିବେଦନ କରାଯାଇଥିଲା । ଏବେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ ନିବେଦନ କରିଛି ମହାସଂଘ ।

ହୁ ହୁ ହୋଇ ବଢୁଛି ବଜାର ଦର । ହଜାରେ ଟଙ୍କା ମାର୍କେଟକୁ ନେଇ ଗଲେ ବ୍ୟାଗ ପୂରୁନି । ଫି ବର୍ଷ ଏହି ସିଜିନ୍‌ରେ ପନିପରିବା ଅମଳ କମ୍‌ ଥାଇ ବି ଦର ଏତେଟା ବଢ଼େନି । ଏବର୍ଷ ସବୁ ସୀମା ପାର୍‌ କରିଛି ଦରଦାମ ବୃଦ୍ଧି । ଗତ ୧୫ ଦିନ ଭିତରେ ପିଆଜ କିଲୋ ୩୫ ଟଙ୍କାରୁ ୪୫ ଟଙ୍କାରେ ପହଞ୍ଚିଲାଣି । ଏପରି ହେଲେ ଘର ଚଳାଇବା କଷ୍ଟ ।

ଖାଲି ଆଳୁ, ପିଆଜ ନୁହଁ । କୌଣସି ବି ପନିପରିବା ୫୦ ଟଙ୍କା ତଳକୁ ନାହିଁ । ଅମଳ କମ୍‌ ଥିବାରୁ ଏବେ ପନିପରିବା ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଆମଦାନୀ ହେଉଛି । ଖରା ତାତିଠୁ ବଳିଲାଣି ବଜାର ତାତି । ପାଇକାରୀ ଓ ଖୁଚୁରା ବଜାରରେ ଏବେ ୧୨ ଟଙ୍କାରୁ ୧୮ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି ହେଉଛି ଆଳୁ-ପିଆଜ । ତୁରନ୍ତ ଯୋଗାଣ ବିଭାଗ ବଜାର ଉପରେ ଚଢ଼ଉ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଉଠୁଛି ।