ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼

1 min read

ଭୁବନେଶ୍ବର: ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼। କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କାରୁ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି ଗହମ। ଫଳରେ ଅଟା, ସୁଜି, ମଇଦା ସମେତ ଗହମଜାତ ଦ୍ରବ୍ୟର ଦର ଆକାଶଛୁଆଁ ହୋଇଛି। ଖାଲି ଏତିକି ନୁହେଁ, ସୀମା ପାର କରିବାକୁ ଯାଉଛି ସୁନା ଦର। ଏବେ ୨୪କ୍ୟାରେଟ୍ ସୁନା ଦର ୬୨ ହଜାର ୬୦୦ ଟଙ୍କା। ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁ ଲୋକେ ଷ୍ଟକ୍ ମାର୍କେଟରେ ଟଙ୍କା ନଲଗାଇ ସୁନା କିଣିଚାଲିଛନ୍ତି। ଆସନ୍ତା ଦୀପାବଳୀକୁ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୫ହଜାର ଟପିବ ବୋଲି ଆକଳନ କରାଯାଉଛି।

ପାର୍ବଣ ଋତୁରେ ମହଙ୍ଗା ମାଡ଼। ବଢିଲାଣି ରୁଟି ରେଟ୍ । ଖାଇବା ସାମଗ୍ରୀ ଦର ଆକାଶଛୁଆଁ। ହାଣ୍ଡିଶାଳରେ ଚଡ଼କ, ବିଗିଡ଼ିଲାଣି ମାସିକିଆ ବଜେଟ୍। ଦଶହରାରେ ଖାଉଟି କଲବଲ। ଖାଇବାରୁ ପିନ୍ଧିବା, ଯେଉଁଠି ହାତ ଲଗାଇଲେ ବି ରେଡ୍ ଚଢା। କର୍ପୋରେଟ୍ ସଂସ୍ଥାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ଖୋଲା ଛୁଟ୍ ଦେଇଛନ୍ତି କେନ୍ଦ୍ର ସରକାର। ଦୁଇଦିନ ତଳେ ଗହମ କ୍ବିଣ୍ଟାଲ ପିଛା ଥିଲା ୨୩୦୦ ଟଙ୍କା, ଏବେ ହେଲାଣି ୨୭୦୦ ଟଙ୍କା। ଗହମ ଦର ବୃଦ୍ଧି ଯୋଗୁଁ ଅଟା, ମଇଦା, ସୁଜି ସମେତ ଗହମ ଜାତ ଦ୍ରବ୍ୟ ଦର ବି ବୃଦ୍ଧି ଦେଖି ଖାଉଟିଙ୍କ ହୋସ୍ ଉଡିଲାଣି।

ଦର ବଢ଼ିବା ସହିତ ଯୋଗାଣ ବି କମ୍ । ମାନେ ବୋଝ ଉପରେ ନଳିତା ବିଡ଼ା। କେତେବେଳେ ଡାଲି ତ କେତେବେଳ ଖାଇବା ତେଲ । ହୁ ହୁ ହୋଇ ବଢୁଛି ଖାଦ୍ୟ ସାମଗ୍ରୀ ଦର। ଓଡ଼ିଶା ବଜାରକୁ ବାର୍ଷିକ ୨୫ ଲକ୍ଷ କ୍ବିଣ୍ଟାଲ୍ ଗହମ ଆବଶ୍ୟକ। ଦୁଇଦିନ ତଳେ ୨୫ କିଲୋ ଅଟା ମୂଲ୍ୟ ଥିଲା ୮୫୦ ଟଙ୍କା । ଏବେ ୯୦୦ ଟଙ୍କାରେ ପହଞ୍ଚିଲାଣି । ଖୋଲାରେ ଅଟା କିଲୋ ଏବେ ହେଲାଣି ୩୬ ଟଙ୍କା । ଗହମ ସହିତ ପ୍ୟାକେଟ୍ ମସଲା ଦର ବି କର୍ପୋରେଟ୍ ସଂସ୍ଥା ବଢାଇ ଚାଲିଛନ୍ତି। ଏପରିକି ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି କର୍ପୋରେଟ୍ ସଂସ୍ଥା ଜାଣିଶୁଣି ଏସବୁ ଜିନିଷର ଆବଶ୍ୟକତାଠାରୁ ହୋର୍ଡିଂ କରି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଖୁଚୁରା ବେପାରୀଙ୍କ ବେଉସା ବୁଡ଼ାଇବାକୁ ଏକ ପ୍ରକାର ଚକ୍ରାନ୍ତ କରାଯାଉଛି । ଆଉ କେନ୍ଦ୍ର ସରକାର ନୀରବ ରହି ଏପରି ଅସାଧୁ ବ୍ୟବସାୟକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।

ସେପଟେ ସୁନାଦର ବି ଆକାଶଛୁଆଁ। ସପ୍ତାହ ତଳେ ୨୪ କ୍ୟାରେଟ୍ ସୁନାଦର ୧୦ଗ୍ରାମ୍ ପିଛା ୫୮ ହଜାର ଥିଲା। ଏବେ ବଢି ୬୨ ହଜାର ୬୦୦ ଟଙ୍କାରେ ପହଞ୍ଚିଲାଣି । ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ୍ରେ ଆଉ ଲୋକେ ପୁଞ୍ଜି ନଲଗାଇ ସୁନା କିଣାରେ ଖର୍ଚ୍ଚ କରୁଛନ୍ତି। ଲୋକେ ଅଧିକ ସୁନା କିଣୁଥିବାରୁ ଚାହିଦା ଆହୁରି ବୃଦ୍ଧି ପାଇବ। ସେପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିଚାଲିଛି। ଏସବୁ କାରଣ ଯୋଗୁଁ ଦୀପାବଳି ବେଳକୁ ୧୦ ଗ୍ରାମ ଓଜନର ୨୪ କ୍ୟାରେଟ୍ ସୁନା ଦର ୬୫ ହଜାର ଟଙ୍କା ପାର୍ କରିଯିବ ବୋଲି ଆକଳନ କରାଯାଉଛି। ସେପଟେ ୨୨କ୍ୟାରେଟ୍ ସୁନାଦର ୫୬ ହଜାର ୬୦୦ରୁ ୫୬ ହଜାର ୯୦୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ସପ୍ତାହ ବେଳକୁ ୨୨କ୍ୟାରେଟ୍ ସୁନା ଦର ୫୮ ହଜାର ପାର୍ କରିଯିବ ବୋଲି ଜୁଏଲରର୍ସ୍ ଆକଳନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଯୋଗୁ ମହଙ୍ଗା ମାଡ଼ର ଶିକାର ହୋଇଚାଲିଛନ୍ତି ଖାଉଟି । ପେଟ୍ରୋଲ-ଡିଜେଲ ଦର ଯୋଗୁ ଖାଉଟିଙ୍କ ପକେଟ୍ ଖାଲି ହୋଇଚାଲିଛି। ଖାଲିସେତିକି ନୁହେଁ ବର୍ଷ ସାରା ଖାଦ୍ୟ ସାମଗ୍ରୀ ଦର ବି ଚଢା ରହୁଛି। ଅଟା, ଡାଲି, ଚାଉଳ ପରେ ମସଲା ଦର ବି ବଢୁଛି। କେନ୍ଦ୍ର ସରକାରଙ୍କ ଆଚ୍ଛେଦିନକୁ ଏବେ ମନେପକାଉଛନ୍ତି ଖାଉଟି ଓ ବିରୋଧୀ ।