ରାତି ପାହିଲେ ବଜାର ଦେଖାଉଛି ନାଲି ଆଖି, ଖାଉଟି ମୁଣ୍ଡରେ ଚଡ଼କ

ନନ୍ଦିଘୋଷ ବ୍ୟୁରୋ: ଖାଉଟି ମୁଣ୍ଡରେ ଚଡ଼କ । ବାଧୁଛି ଦରଦାମ ବୃଦ୍ଧି । ତୁରନ୍ତ କିଛି ନ କଲେ ଲୋକଙ୍କ ଅବସ୍ଥା ବେହାଲ ହୋଇଯିବ । ଦରଦାମ ବୃଦ୍ଧିରେ ଲଗାମ କଷିବାକୁ ଅଣ୍ଟା ଭିଡିଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଦର ନିୟନ୍ତ୍ରଣ ପାଇଁ ତୁରନ୍ତ ରାଜ୍ୟର ନୂଆ ସରକାର ତୁରନ୍ତ ମହାସଂଘ ସହ ଆଲୋଚନା କରନ୍ତୁ ବୋଲି ନିବେଦନ କରିଛନ୍ତି ବ୍ୟବସାୟୀ ମହାସଂଘର ମହାସଚିବ । ସେପଟେ ବ୍ୟବସାୟୀ ମହାସଂଘର ନିବେଦନକୁ ସ୍ବାଗତ କରିଛନ୍ତି ବିରୋଧୀ ।

ରାତି ପାହିଲେ ବଜାର ଦେଖାଉଛି ନାଲି ଆଖି । ରଜ ମଉଜକୁ ଫିକା କରିଛି ଦରଦାମ ବୃଦ୍ଧି  । ଆଳୁ ୩୦, ପିଆଜ ୪୦ ପାର୍ । ୫୦ ତଳେ ନାହିଁ କୌଣସି ପନିପରିବା । ହୁ ହୁ ହୋଇ ବଢୁଛି ଚାଉଳ ଦର । ଡାଲି, ତେଲ ଅଟାରେ ବ୍ରେକ୍ ଲାଗୁନି । ଅବସ୍ଥା ଦେଖି ଅଣ୍ଟା ଭିଡ଼ିଲା ରାଜ୍ୟ ବ୍ୟବସାୟୀ ମହାସଂଘ । ସରକାରଙ୍କୁ ସିଧା ଅନୁରୋଧ । ଦରଦାମ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତୁରନ୍ତ ବ୍ୟବସାୟୀ ମହାସଂଘ ସହ ଆଲୋଚନା କରନ୍ତୁ । ନ ହେଲେ ରାଜ୍ୟରେ ସ୍ଥିତି ଅଣାୟତ୍ତ ହେବ । ଏମିତି ଅବସ୍ଥା ହେଲାଣି ପାଇକରୀ ଦର ଯଦି ୧ ଟଙ୍କା ବଢୁଛି ସେଇ ସାମଗ୍ରୀ ଉପରେ ଖଚୁରା ବଜାରରେ ୫ରୁ ୧୦ ଟଙ୍କା ବୃଦ୍ଧିର ଶିକାର ହେଉଛନ୍ତି ଖାଉଟି । ଖାଉଟି ମୁଣ୍ଡରେ ଚଡ଼କ । ଲୋକେ କଣ କରିବେ ଜାଣି ପାରୁନାହାନ୍ତି । କାରଣ ରାତି ପାହିଲେ ବଜାର ଦର ହୁ ହୁ ହୋଇ ବଢିଚାଲିଛି ।

ରାଜ୍ୟ ବ୍ୟବସାୟୀ ମହାସଂଘ ଯେଉଁ ନିବେଦନ କରିଛି ତାକୁ ସ୍ବାଗତ କରିଛନ୍ତି ବିରୋଧୀ । ଓଡ଼ିଶା କୃଷି ପ୍ରଧାନ ରାଜ୍ୟ । ଖରାଦିନେ ଅମଳ କମ୍ ହେଉଥିବାରୁ ରାଜ୍ୟରେ କୃଷି ଉତ୍ପାଦନ କମ୍ ହୋଇଥାଏ । କିନ୍ତୁ ଏବର୍ଷ ଯେପରି ସବୁ ଖାଦ୍ୟ ସାମଗ୍ରୀ ଦର ବଢୁଛି ତାହା ଆଗରୁ କେବେ ଦେଖାଯାଇ ନଥିଲା । ଏବେ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଆଗେଇ ଆସିବାକୁ ସବୁ ମହଲରୁ ଦାବି ହେଉଛି ।

ଭାରତ ସରକାରଙ୍କ ପରିସଂଖ୍ୟାନ ବିଭାଗ କହୁଛି ଖାଉଟି ସୂଚକାଙ୍କ ଗତ ମାସରେ କମି ୪.୭୫ ପ୍ରତିଶତ ହୋଇଛି । ହେଲେ ବଜାର ସ୍ଥିତି କହୁଛି ଓଲଟା । ସୂଚକାଙ୍କର ଗଣିତରେ ସାଧାରଣ ଖାଉଟିର ପେଟ ପୂରିବନି । ସବୁ ବର୍ଗର ଖାଉଟିଙ୍କୁ ସୁହାଇଲାଭଳି ଖୁଚୁରା ବଜାରରେ କିପରି ସୁଲଭ ଦରରେ ଜିନିଷ ପତ୍ର ମିଳିବ ତାକୁ ଦେଖିବା ସରକାରଙ୍କ ଦାୟିତ୍ବ ।