ଆଳୁ ଦେଲାନି ପଶ୍ଚିମବଙ୍ଗ, ହଟହଟା ଓଡ଼ିଶା: ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ଆଳୁ ଦେଲାନି। ଆଳୁ ପାଇଁ ହଟହଟା ହେଲେ ଓଡ଼ିଶାବାସୀ। ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ। ଆକାଶଛୁଆଁ ହେଲାଣି ପିଆଜ ଠାରୁ ଆରମ୍ଭ କରି ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର। ସଠିକ ଭାବେ ଚାଷୀଙ୍କୁ ବିହନ ମିଳିଲାନି। ତା ସାଙ୍ଗକୁ ଉତ୍ପାଦିତ ଦ୍ରବ୍ୟର ହେଲା ଅଭାବୀ ବିକ୍ରି। ସବୁ ଜାଣି ବି ଚୁପ ବସିଛନ୍ତି ସରକାର। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବାରୁ ବିଜେପି ସରକାର ଉପରେ ବର୍ଷିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଦରଦାମ ନିୟନ୍ତ୍ରଣ ଓ ଚାଷୀଙ୍କ ସାମଗ୍ରୀର ଅଭାବୀ ବିକ୍ରି ରୋକିବା ପାଇଁ ନାହିଁ ଆନ୍ତରିକତା। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ, ଆଗକୁ ମଧ୍ୟ ଦରଦାମ ବୃଦ୍ଧି ଉତ୍କଟ ରୂପ ନେବ ବୋଲି ଚେତାଇ ଦେଇଛି ବ୍ୟବସାୟୀ ମହାସଂଘ। ପ୍ରତି ତିନି ମାସରେ ଥରେ ଦରଦାମ ନିୟନ୍ତ୍ରଣ ଓ ଚାଷ ଉତ୍ପାଦନ ବଢାଇବା ପାଇଁ ବୈଠକ କରିବାକୁ କହିଥିଲା ବିଜେପି ସରକାର। କିନ୍ତୁ ଏପର୍ଯ୍ୟନ୍ତ ତାହା ହେଲାଣି। ଏହା ସରକାରଙ୍କ ଆନ୍ତରିକତାର ଅଭାବ ବୋଲି କହି ସମାଲୋଚନା କରିଛି ବ୍ୟବସାୟୀ ମହାସଂଘ।

ସେପଟେ ଦରଦାମ ନିୟନ୍ତ୍ରଣରେ ବିଫଳତା ଓ ସରକାରଙ୍କ ମିଛ ପ୍ରତିଶୃତିକୁ ନେଇ ବିଜେପି ଉପରେ ବର୍ଷିଛି ଓଡ଼ିଶା ବିକାଶ ପରିଷଦ। ରାଜ୍ୟର ସମଗ୍ରୀକ ବିକାଶକୁ ନେଇ ସରକାର ବେପରୁଆ ମନୋଭାବ ପୋଷଣ କରିଛନ୍ତି। ଡବଲ ଇଞ୍ଜିନ ସରକାର ସବୁ କଥାକୁ ହାଲକା ଭାବେ ନେଉଛନ୍ତି। ଯାହାର ଫଳ ଭୋଗୁଛି ରାଜ୍ୟ। ଆଗକୁ ଜନତା ଏହାର ଦୃଢ଼ ଜବାବ ଦେବେ ବୋଲି ଚେତାବନୀ ଦେଇଛି ସଙ୍ଗଠନ। ଏସବୁ ପରେ ବି ଯୋଗାଣ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର ସମନ୍ୱୟ ବୈଠକ ହୋଇନି, ଆଗକୁ ହେବ।

ଏବେ ଆଳୁ ଉତ୍ପାଦନ ସମୟ ହୋଇଥିବା ବେଳେ, ଅନ୍ୟ କିଛି ଅତ୍ୟାବଶ୍ୟକ ପନିପରିବା ଉତ୍ପାଦନ ହେଉଛି। ଯାହାର ଅଭାବୀ ବିକ୍ରି ମଧ୍ୟ ଚାଲିଛି। କିନ୍ତୁ ଏସବୁର ବ୍ୟାପକ ଉତ୍ପାଦନ କିମ୍ବା ସଂରକ୍ଷଣ ପାଇଁ କୌଣସି ଉଦ୍ୟମ ହେଉ ନାହିଁ। ଯେଉଁଥି ପାଇଁ ଚଳିତ ବର୍ଷ ମଧ୍ୟ ଆଳୁଠୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ପୁଣିଥରେ ଦେଖାଦେବାର ସମ୍ଭାବନା ରହିଛି।