ମାସେ ହେଲାଣି ବଜାରରେ ନିଆଁ, ଯାହାକୁ ଛୁଇଁବ ସବୁ ଜିନିଷର ଦର ଡବଲ୍

1 min read

ଭୁବନେଶ୍ୱର: ଅଟା କିଲୋ ୪୦କୁ ମୋଟା ଚାଉଳ ୪୦ । ଜିରା କିଲୋ ହଜାରେ । ପନିପରିବାଠାରୁ ଆରମ୍ଭ କରି ମସଲା ସବୁ ଜିନିଷର ଦର ଡବଲ୍ । ମାସେ ହେଲାଣି ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଦରଦାମ ବୃଦ୍ଧିରେ ଆକତାମାକତା ଖାଉଟି । ସାଧାରଣ ଲୋକଙ୍କ ପକେଟ୍ ଖାଲି । କିନ୍ତୁ ଦରଦାମ କମିବାର ନାଁ ନେଉନି । ଆଗକୁ ଆହୁରି ବଢ଼ିବ । କେନ୍ଦ୍ର ଖାଦ୍ୟ ନିଗମ-ଏଫସିଆଇ ଓଡ଼ିଶା ପାଇଁ ବଳକା ୨୧ ହଜାର ମେଟ୍ରିକ୍ ଟନ୍ ଗହମ ବଜାରକୁ ଛାଡ଼ିଛି । ସେହିଭଳି ଚାଉଳ ଦେଇଛି ଅତିରିକ୍ତ ୧୦ ହଜାର ମେଟ୍ରିକ ଟନ୍  । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ । ଓଡ଼ିଶାର ଚାହିଦା ମୁତାବକ ଅତିରିକ୍ତ ୪୦ ହଜାର ମେଟ୍ରିକ୍ ଟନ୍ ଗହମ ଆବଶ୍ୟକ । ଆଉ ଯଦି ୧୯ ହଜାର ମେଟ୍ରିକ୍ ଟନ୍ ଗହମ ଏଫସିଆଇ ଖୋଲାବଜାରକୁ ନ ଛାଡ଼େ ତାହେଲେ ଅଟା କିଲୋ ୫୦ ଛୁଇଁବ ହିଁ ଛୁଇଁବ । ଗହମ ଅଭାବ ଯୋଗୁ ମଇଦା, ସୁଜି ଦର ବଢିଚାଲିଛି । ସେପଟେ ଖରାପ ପାଣିପାଗ, ଉତ୍ପାଦନ କମ୍ ଯୋଗୁ ଡାଲି ବି ମହଙ୍ଗା । ହରଡ଼, ବୁଟ, ମୁଗ କିଲୋପ୍ରତି ୨୫ ଟଙ୍କାରୁ ୩୦ ଟଙ୍କା ପର୍ଯ୍ୟନ୍ତ ବଢିଛି । ଏପରି ଜାରି ରହିଲେ ଆଗକୁ ଡାଲି ଦର ବି ଦେଢ଼ ଶହ ପାର୍ କରିଯିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ । କିନ୍ତୁ ବଡ଼ ମଲ୍, କର୍ପୋରେଟ୍ ହାତରେ ଏବେ ବଜାର ନିୟନ୍ତ୍ରିତ ହେଉଛି । ଆଗରୁ ଏହି କଥା ବ୍ୟବସାୟୀ କହୁଥିଲେ । ଏବେ ଖୋଦ ଖାଉଟି ବି ଜାଣିଲାଣି ବାସ୍ତବ ସ୍ଥିତି । ବଜାର ଦେଖି ଖାଉଟି ହୋମ୍ ବଜେଟ୍ କେତେ କରିବ କଳନା କରିପାରୁନି । ପ୍ରତିଦିନ ଦୋକାନକୁ ଗଲାବେଳକୁ କିଛି ନା କିଛି ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ପାଉଛି । ଅସାଧୁ ବ୍ୟବସାୟୀଙ୍କୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ମାର୍କେଟ୍ ଇଣ୍ଟେଲିଜେନ୍ସ୍ ତୟାର ରହିଛି । କିନ୍ତୁ ଚାହିଦା ମୁତାବକ ଷ୍ଟକ୍ ନିଅଣ୍ଟ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଉଟି । ପେଟ୍ରୋଲ-ଡିଜେଲ ଦର କମୁନି । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଦରରେ ବି ଲାଗୁନି ଲଗାମ । ସାଧାରଣ ଖାଉଟି କେତେଦିନ ଏପରି ମହଙ୍ଗା ମାଡ଼ର ଶିକାର ହେବ ଏହାର ଉତ୍ତର କାହା ପାଖରେ ନାହିଁ ।