ଅଫ୍ ଲାଇନ୍ ପରେ ଅନ୍ ଲାଇନରେ ମହଙ୍ଗା ମାଡ଼

ଭୁବନେଶ୍ବର: ଲୋକଙ୍କ ଉପରେ ଅଫଲାଇନ ପରେ ଏବେ ଅନଲାଇନ ମହଙ୍ଗା ମାଡ଼ । ଡାଲି ଚାଉଳ ଠାରୁ ଆରମ୍ଭ କରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ଅଣନିଃଶ୍ୱାସୀ କରିଥିବା ବେଳେ ଏବେ ଅନଲାଇନ ଖାଦ୍ୟ ଅର୍ଡରରେ ମଧ୍ୟ ଦରବୃଦ୍ଧି କରାଯାଇଛି । ଅନଲାଇନ ଖାଦ୍ୟ ପ୍ଲାଟଫର୍ମର ପ୍ରମୁଖ ସଂସ୍ଥା ଜୋମାଟୋ ଓ ସ୍ୱିଗି ୨୦ ପ୍ରତିଶତ ପ୍ଲାଟଫର୍ମ ଫି ବୃଦ୍ଧି କରିଛନ୍ତି । ମୋବାଇଲ ଯୁଗରେ ଲୋକେ ଅନଲାଇନ ଖାଦ୍ୟ ମଗାଇବାରେ ଅଧିକ ଅଭ୍ୟସ୍ତ ହୋଇଥିବାବେଳେ ଏହି ମହଙ୍ଗା ମାଡ଼ ଲୋକଙ୍କୁ ଆହୁରି ଝଟକା ଦେଇଛି ।

ନିତି ଦିନିଆ ଜୀବନକୁ ସାଂଘାତିକ ଭାବେ ପ୍ରଭାବିତ କଲାଣି ଆକାଶଛୁଆଁ ଦରବୃଦ୍ଧି । ଡାଲି, ଚାଉଳ, ପନିପରିବା ଆଦିର ଦର ଏମିତି ବଢିଛି ଯେ, ଲୋକେ ମାର୍କେଟ ଯିବାକୁ ଡରୁଛନ୍ତି । ସେହିପରି ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ହୁ ହୁ ହୋଇ ବଢୁଛି । ସେପଟେ ଲୋକଙ୍କ ନିଶା ଓ ଆବଶ୍ୟକତା ପାଲଟିଥିବା ମୋବାଇଲ ଟାରିଫ ବଢିବା ଯୋଗୁଁ ଲୋକଙ୍କୁ ଝଟକା ଲାଗିଛି । ଠିକ ଏଭଳି ସମୟରେ ଅନଲାଇନ ଖାଦ୍ୟର ପ୍ରମୁଖ ପ୍ଲାଟଫର୍ମ ଜୋମାଟୋ ଓ ସ୍ୱିଗି ଦାଉ ସାଧି ଦରବୃଦ୍ଧି କରିଛନ୍ତି । ଉଭୟ ସଂସ୍ଥା ପ୍ଲାଟଫର୍ମ ଫି ଉପରେ ୨୦ ପ୍ରତିଶତ ଦରବୃଦ୍ଧି କରିଛନ୍ତି । ଏପରିକି କି ସମୟରେ ଅର୍ଥାତ ଖାଦ୍ୟ ଖାଇବାର ପ୍ରମୁଖ ସମୟରେ ଏହି ଦର ଆହୁରି ବଢ଼ିପାରେ । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ବେଙ୍ଗାଲୁରୁ ଆଦି ସହରରେ ଏହା ଲାଗୁ ହୋଇସାରିଥିବା ବେଳେ ଖୁବ ଶୀଘ୍ର ଅନ୍ୟ ସହରରେ ଏହା ଲାଗୁ ହେବ । କିଛି ମାସ ତଳେ ଜୋମାଟୋ ଦର ବୃଦ୍ଧି କରିଥିବା ବେଳେ ଏବେ ପୁଣିଥରେ ଦରବୃଦ୍ଧି ଏକ ବଡ଼ ଝଟକା ବୋଲି କୁହାଯାଇଛି । ଗୋଟିଏ ପରେ ଗୋଟିଏ ଅତ୍ୟାବଶ୍ୟକ ବ୍ୟବସ୍ଥାର ଦରବୃଦ୍ଧି ଲୋକଙ୍କୁ ବାଧୁଥିବା ବେଳେ ତୁରନ୍ତ ସରକାର ଏସବୁକୁ ନିୟନ୍ତ୍ରଣକୁ ଆଣିବାକୁ ସାଧାରଣରେ ଜୋରଦାର ଦାବି ଉଠିଛି ।

ସହରାଞ୍ଚଳରେ ବହୁ ଲୋକ ବିଶେଷ କରି ଯୁବ, ଛାତ୍ର, ମହିଳା ତଥା କର୍ମଜୀବୀମାନେ ସମୟ ଅଭାବରୁ ଖାଇବା ପାଇଁ ଅନଲାଇନ ପ୍ଲାଟଫର୍ମ ଉପରେ ନିର୍ଭର କରିଥାନ୍ତି । ମୋବାଇଲ ଭଳି ଅନଲାଇନ ଖାଦ୍ୟ ବ୍ୟବସ୍ଥାରେ ଲୋକେ ଅଭ୍ୟସ୍ତ । ତେଣୁ ଏଭଳି ସମୟରେ ଦରବୃଦ୍ଧି ଝଟକାକୁ ବ୍ୟବସାୟୀମାନେ ମଧ୍ୟ ଗ୍ରହଣ କରିପାରି ନାହାନ୍ତି । ବିଭିନ୍ନ ରେଷ୍ଟୁରାଣ୍ଟ ଓ ହୋଟେଲ ବ୍ୟବସାୟର ୭୦ ରୁ ୮୦ ପ୍ରତିଶତ ଖାଦ୍ୟ ଅନଲାଇନ ମାଧ୍ୟମରେ ବିକ୍ରି ହେଉଥିବା ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି । ଯାହାକି ଜୋମାଟୋ ଓ ସ୍ୱିଗି ମାଧ୍ୟମରେ ହୁଏ । ତେଣୁ ଏଭଳି ଦରବୃଦ୍ଧି ହେଲେ ବ୍ୟବସାୟ ମାନ୍ଦା ହେବାର ସମ୍ଭାବନା ରହିଛି । ବ୍ୟବସାୟୀ ସଂଘ ମଧ୍ୟ ସବୁ କ୍ଷେତ୍ରରେ ଏଭଳି ଅନିୟନ୍ତ୍ରିତ ଦରବୃଦ୍ଧିକୁ ନାପସନ୍ଦ କରିଛି । ସେପଟେ ଜୋମାଟୋ କର୍ମଚାରୀମାନେ ମଧ୍ୟ ଦରବୃଦ୍ଧି ହେଲେ ସେମାନଙ୍କ ପାଇଁ ଅଧିକ ପାରିଶ୍ରମିକ ଆଶା ରଖିଛନ୍ତି ।

ଗରିବ ଓ ମଧ୍ୟବିତ୍ତ ଲୋକେ ଦୈନନ୍ଦିନ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀର ଲଗାତର ଦରବୃଦ୍ଧି ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ତେଣୁ ଏସବୁ ନିୟନ୍ତ୍ରଣକୁ ନ ଆସିଲେ ଖାଇ ପିଇ ବଞ୍ଚିବା ଅସମ୍ଭବ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।