ବଜାରରେ ଲାଗିଛି ଦର ନିଆଁ
ଭୁବନେଶ୍ୱର: ବଢୁଛି ତେଲ ଦର, ମାର୍କେଟରେ ଲାଗିଲାଣି ନିଆଁ । ଅତ୍ୟାବଶ୍ୟକ ସାମଗ୍ରୀ ଏବେ ଆକାଶ ଛୁଆଁ । ପନିପରିବାଠୁ ଆରମ୍ଭ କରି ଖାଇବା ତେଲ ଦର ରେକର୍ଡ କରିଛି । ବିଗିଡ଼ି ଗଲାଣି ମଧ୍ୟବିତ୍ତ ପରିବାରର ବଜେଟ । ବଜାରରେ ୫୦ ତଳକୁ ପନିପରିବା ଦର ନାହିଁ । ଦର ବୃଦ୍ଧି ପାଇଁ ଲୋକେ ହଇରାଣ ହେଉଥିବା ବେଳେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ସିପିଆଇଏମ୍ ।
ଦର ବୃଦ୍ଧି ପାଇଁ ସବୁଆଡେ ଉଦବେଗ । ପଲ୍ଲୀରୁ ଦିଲ୍ଲୀ ସବୁଠି ହଲ୍ଲାବୋଲ୍ । ତେଲ ସହ ତାଳଦେଇ ବେଲଗାମ୍ ପରିବା ଦର । ହଜାରେ ଟଙ୍କାରେ ବି ପୂରୁନି ବ୍ୟାଗ୍ । କିଲେ ନେବା ଲୋକ ଅଢେଇଶରେ କାମ ଚଳାଉଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆଜି ବାଇଗଣ କେଜି ପ୍ରତି ୪୦ଟଙ୍କା, ବିନ୍ସ ୬୦, ପୋଟଳ ୬୦, ଟମାଟୋ ୫୦, କ୍ୟାପ୍ସିକମ୍ ୧୦୦, କଲରା ୬୦, ଜହ୍ନି ୬୦, ଭେଣ୍ଡି ୬୦, ସଜନା ଛୁଇଁ ୧୪୦, ଝୁଡଙ୍ଗ ୬୦, ଗାଜର ୪୦ ଓ ପିଆଜ କେଜିକୁ ୫୦ ଟଙ୍କାରେ ବିକ୍ରି ହେଉଛି । ତେବେ ପରିବହନ ଖର୍ଚ୍ଚ ପାଇଁ ବ୍ୟବସାୟଙ୍କର ବି କ୍ଷତି ହେଉଛି ।
ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିଛି ସିପିଆଇଏମ୍ । ଦଳ ପକ୍ଷରୁ ରାଜ୍ୟର ସବୁ ସ୍ଥାନରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରରେ ଏଡିଏମ୍ ଅଫିସ୍ ସମ୍ମୁଖରେ ୩ ଘଣ୍ଟିଆ ପ୍ରତୀକ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦରଦାମ୍ ବୃଦ୍ଧି ଉପରେ ନିୟନ୍ତ୍ରଣ ନକରାଗଲେ ଉପନିର୍ବାଚନ ଫଳ ଭଳି କେନ୍ଦ୍ର ସରକାରଙ୍କୁ କଡା ଜବାବ ଦିଆଯିବ ବୋଲି ସିପିଆଇଏମ ପକ୍ଷରୁ କୁହାଯାଇଛି ।
ଦୁଇମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢି ଚାଲିଛି । ଏହାସହ ପ୍ରତିଯୋଗିତା କରି ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ମହଙ୍ଗା ମାଡ଼ରେ ନୟାନ୍ତ ହେଲେଣି ଖାଉଟି । ଏଭଳି ସ୍ଥଳେ ସାଧାରଣ ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।