ପିଲାଙ୍କ ଉପରେ ଦର ବୃଦ୍ଧିର ପ୍ରଭାବ: ମଧ୍ୟାହ୍ନ ଭୋଜନ ମୂଲ୍ୟ ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି

ଭୁବନେଶ୍ବର: ମହଙ୍ଗା ମାଡ଼ରେ ପ୍ରଭାବିତ ଜନଜୀବନ । ମଧ୍ଯାହ୍ନ ଭୋଜନ କାର୍ଯ୍ୟକ୍ରମ ବି ହୋଇଛି ପ୍ରଭାବିତ । ଧାର୍ଯ୍ୟ ଦରରେ ଗୁଣାତ୍ମକ ଖାଦ୍ଯ ଯୋଗାଇବା ସମ୍ଭବ ହେଉ ନଥିବାରୁ ବଢିଛି ଚିନ୍ତା । ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ମଧ୍ଯାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । ହେଲେ ଦରବୃଦ୍ଧି ଏକ୍ଷେତ୍ରରେ ଆଣିଛି ସମସ୍ୟା । ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ହେଉଛି ଦାବି ।

ଦରବୃଦ୍ଧିର ପ୍ରଭାବ ପଡ଼ିଛି କୁନି ପିଲାଙ୍କ ଉପରେ । ପିଲାଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ଅପପୁଷ୍ଟି ରୋକିବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଏକ ବଡ଼ ପଦକ୍ଷେପ । କିନ୍ତୁ ଦରଦାମ ବୃଦ୍ଧିର ପ୍ରଭାବ ପଡୁଛି ଏହି ଯୋଜନା ଉପରେ । ସରକାରଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଧାରିତ ଦରରେ ବର୍ତ୍ତମାନ ଗୁଣାତ୍ମକ ଖାଦ୍ୟ ଦେବା ସମ୍ଭବ ହେଉ ନଥିବା କହିଛନ୍ତି ଅଭିଭାବକ ସଂଘ । ପିଲାଙ୍କୁ ଭାତ ଡାଲମା ଆଦି ଦିଆଯାଉଥିଲେ ମଧ୍ୟ ବର୍ତ୍ତମାନ ଡାଲି, ଆଳୁ, ପରିବା ଆଦିର ଦର ଯାହା ସେଥିରେ କେବଳ ପାଣିଆ ଡାଲି ଦେବା ହିଁ ସମ୍ଭବ । ତୁରନ୍ତ ପିଲାଙ୍କ ଦୈନିକ ଖାଦ୍ୟର ଦର ବଢାଯାଉ ବୋଲି ଦାବି କରିଛି ମହାସଂଘ ।

ସେପଟେ ଦରଦାମ ବୃଦ୍ଧି ଯୋଗୁଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହୋଇଥିବା ନେଇ ଅସନ୍ତୋଷ ବ୍ଯକ୍ତ କରିଛି ସିଟିଜେନସ ଫୋରମ । ସରକାରୀ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ ପିଲାଙ୍କୁ ଉନ୍ନତମାନର ଖାଦ୍ୟ ଦେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ହେଲେ ସ୍ଥିତି କହୁଛି, ବର୍ତ୍ତମାନ ଦରରେ ସେହି ଖାଦ୍ଯ ଦେବା ସମ୍ଭବ ନୁହେଁ । ତେଣୁ ଏହାର ତୁରନ୍ତ ପ୍ରତିକାର କରିବାକୁ ଫୋରମ ଦାବି କରିଛି । ଏହାସହ ଦରଦାମ ବୃଦ୍ଧି ରୋକିବାକୁ ସରକାର ପଦକ୍ଷେପ ନେବାକୁ କୁହାଯାଇଛି ।